ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଛନ୍ତି ସ୍ତ୍ରୀ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତ୍ତି ହେଲେ ପୁଇଁତଳା ଥାନା ଡମ୍ବେରୁବାହାଲ ଗ୍ରାମର ସେବକ ବାଗ ଓ ପତ୍ନୀ ପଦ୍ମିନୀ ବାଗ ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗିର-ସୋନପୁର ୧୬ ନଂ ଜାତୀୟ ରାଜପଥ ରଣ୍ଡା ଛକ ନିକଟରେ ଏକ ଅଟୋକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ସେବକ ବାଗ ଓ ତାଙ୍କ ପୁତୁରା ଗୁରୁତର ହୋଇଥିଲେ । ତାଙ୍କୁ ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ତାଙ୍କ ସ୍ତ୍ରୀ ଆସି ଭୋର ସମୟରେ ଦେଖି ଥିଲେ ଯେ ୱାର୍ଡରେ ସ୍ୱାମୀଙ୍କ ନାହାଁନ୍ତି । ପରିବାର ଲୋକେ ସ୍ତ୍ରୀ ପଦ୍ମିନୀଙ୍କୁ ସ୍ୱାମୀଙ୍କ ମୃତ୍ୟୁ ଖବର ଦିଆଯାଇଥିଲା । ମାତ୍ର ସ୍ତ୍ରୀ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସହି ପାରିନଥିଲେ । ଏହାପରେ ସେ ହସ୍ପିଟାଲର ସର୍ଜରୀ ୱାର୍ଡରେ ତିନି ମହଲା ଛାତରୁ ଡେଇଁ ଜୀବନ ହାରିଛନ୍ତି ।
ଏହି ଖବର ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଦମ୍ପତ୍ତିଙ୍କର ଦୁଇଟି ଛୋଟ ପିଲା ମଧ୍ୟ ରହିଛନ୍ତି । ରେଡକ୍ରସ ପକ୍ଷରୁ ୪୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ହରିଶ୍ଚନ୍ଦ୍ର ଯୋଜନା ଶବଦାହ ପାଇଁ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେପଟେ ଗୁରୁତର ପୁତୁରାଙ୍କର ଚିକିତ୍ସା ଜାରି ରହିଛି ।