ମୟୂରଭଞ୍ଜ: ଘୋରଇ ହିଂସା ନେଇ ଉଗ୍ର ରୂପ । ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ବଗଲାଢିପା ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜଣକ ହେଲେ ମିତା ପାତ୍ର ଓ ଅଭିଯୁକ୍ତ ସ୍ୱାମୀ ଜଗଦିଶ ପାତ୍ର ଓରଫ୍ ବାପି ।
୨୦୧୯ ମସିହାରେ ବେତନଟୀ ବ୍ଲକ ଦହିକୋଟି ପଞ୍ଚାୟତ ଆଗଡା ଗ୍ରାମର ମିତା ପାତ୍ର ଓ ବଗଲାଢିପା ଗ୍ରାମର ଜଗଦିଶ ପାତ୍ରଙ୍କର ବିବାହ ହୋଇଥିଲା । ଉଭୟଙ୍କର ଗୋଟିଏ ଚାରି ବର୍ଷର ଝିଅ ଅଛି । ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବିବାହ ପରଠାରୁ ଜଗଦିଶ ପ୍ରାୟ ସମୟରେ ମିତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଇଆସୁଥିଲେ l କିନ୍ତୁ ଗତକାଲି ରାତିରେ ଘଟିଗଲା ଅତ୍ୟନ୍ତ ଭୟାବହ ଘଟଣା l ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା l ଜଗଦିଶ ନିର୍ଦ୍ଦୟ ଭାବେ ମିତାଙ୍କୁ ଗୋଇଠା ମାରି ମାରି ଗୁରୁତର ଆହତ କରିଥିଲେ l ଶେଷରେ ସେଇ ମାରପିଟ ମଧ୍ୟରେ ମିତା ଗୁରୁତର ହୋଇପଡ଼ିଥିଲେ । ସ୍ୱାମୀ ମିତାଙ୍କୁ ତୁରନ୍ତ କିସାନତାଣ୍ଡି ହସ୍ପିଟାଲକୁ ନେଇଯାଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ l ଏହାପରେ ସମଗ୍ର ଅଞ୍ଚଳରେ ଏହି ଘଟଣାକୁନେଇ ଚଞ୍ଚଲ୍ୟ ସୃଷ୍ଟି ହୋଇଛି l ଘଟଣାପରେ ମିତାଙ୍କ ପରିବାର ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l
ସେପଟେ ଜଗଦୀଶ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସ୍ତ୍ରୀର ପେଟରେ ଯନ୍ତ୍ରଣା ହେଉଥିଲା । ସେଥିପାଇଁ ସେ ମେଡ଼ିକାଲ ନେଇ ଆସିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେ ସ୍ତ୍ରୀକୁ ମାରିନାହାଁନ୍ତି ବୋଲି କହିଛନ୍ତି ।
ଖବରପାଇ ମୋରଡା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଜଗଦିଶଙ୍କୁ ଅଟକ ରଖିଛି l ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ତଦନ୍ତ ଶେଷ ହେବା ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ l