ଢେଙ୍କାନାଳ: ଜନଗଣନା ଅଧିକାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବାପା-ପୁଅ ମିଶି ଜେଲ୍ ଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ସାହିର ବାପା ନିକୁଞ୍ଜ ରମଣ ଶତପଥୀ, ଦୁଇ ପୁଅ ଉଦିତ୍ ସ୍ୱପ୍ନ ଶତପଥୀ ଓ ଭାନୁପ୍ରକାଶ ଶତପଥୀଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଦିଆଯାଇଛି ।
ନିକୁଞ୍ଜ ଶତପଥୀଙ୍କ ପରିବାର ଲୋକେ ଜନଗଣନା କାର୍ଯ୍ୟରେ ସହଯୋଗ କରୁନଥିଲେ । ସେଥିପାଇଁ ଗତକାଲି ସକାଳେ ୪ ଜଣ ଜନଗଣନା ଅଧିକାରୀ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା, ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା ନିକୁଞ୍ଜଙ୍କ ଘରକୁ ଯାଇଥିବାବେଳେ ଆକ୍ରମଣର ଶୀକାର ହୋଇଥିଲେ । ଟେକା ପଥର ଫୋପାଡ଼ିବା ସହିତ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏପରିକି ଅଧିକାରୀମାନଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ପରେ ଘଟଣାର ଯାଞ୍ଚ ପାଇଁ ପହଁଚିଥିବା କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ, ଏସଡିପିଓ ରଜନୀକାନ୍ତ ସାମଲ, ତହସିଲଦାର ଶୁଭଙ୍କର ମହାନ୍ତି ଓ ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ପହଁଚିବା ପରେ ମଧ୍ୟ ସେମାନଙ୍କ ତେଜ କମିନଥିଲା । ପୋଲିସ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ତେବେ ସମସ୍ତଙ୍କୁ ପୋଲିସ ଗିରଫ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଭଳି ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ୱ ବିଭାଗ ଜନଗଣନା ଅଧିକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ମାର୍ଗଦର୍ଶକା ବା ଏସଓପି ଜାରି କରିଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନାର କ୍ଷେତ୍ର ପରିଦର୍ଶନ କାମ ହେବ ନାହିଁ । କର୍ମଚାରୀମାନେ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ବହନ କରିବା ବାଧ୍ୟତା ମୂଳକ ।
ସେହିପରି, ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ଦୁଇଜଣିଆ ଦଳରେ କାମ କରିବାକୁ କହାଯାଇଛି । କୌଣସି ବିପଦଜନକ ପରିସ୍ଥିତି ହେଲେ ସତ୍ୱରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି। ସୁପରଭାଇଜରମାନେ ପ୍ରତି ଘଣ୍ଟାରେ ଟିମ୍ର କାର୍ଯ୍ୟ ଓ ସୁରକ୍ଷା ଉପରେ ନଜର ରଖିବେ। ଜିଲ୍ଲା ପ୍ରଶାସନ ଡିହାଇଡ୍ରେସନ୍ ଏବଂ ଗରମ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ORS ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ପୋଲିସ ସହ ସମନ୍ୱୟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଆବଶ୍ୟକ ହେଲେ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ସେନସସ୍ ଟିମ୍ ସହ ଯିବେ । ସେହିପରି, ଜନଗଣନା ପୂର୍ବରୁ ସ୍ଥାନୀୟ ନେତା ଓ ସମୁଦାୟ ସହ ସମ୍ପର୍କ ସୃଷ୍ଟି କରିବାକୁ କର୍ମଚାରୀମାନେ ପରାମର୍ଶ ପାଇଛନ୍ତି, ଯାହା ଦ୍ୱାରା ସହଯୋଗ ମିଳିବ।