କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଳକ ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଘଟଣା, ଯାହା ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। କୁଦାନଗରୀ ଥାନା ଅଧୀନ କେରୁଆ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଶିକ୍ଷକ ରଞ୍ଜନ ଜେନା, ଯିଏ ବାଲେଶ୍ୱର ଜିଲ୍ଲାର ନିବାସୀ, ୨୦୨୨ ମସିହାରୁ ଏହି ସ୍କୁଲରେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ସେ ଟ୍ୟୁସନ୍ ଦେବା ନାମରେ ଛାତ୍ରୀଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଭଲ ପଢ଼ାଇବାର ଲୋଭ ଦେଖାଇ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଏକାକି ଟ୍ୟୁସନ୍କୁ ଡାକୁଥିଲେ। ସେଠାରେ ସେ ତାଙ୍କ ଉପରେ ଯୌନ ନିର୍ଯାତନା ଚାଲାଇଥିବା ଅଭିଯୋଗ ଆସିଛି। ଏତିକି ନୁହେଁ, ସେ ଏହି ଘଟଣାର ଫଟୋ ଓ ଭିଡିଓ ରେକର୍ଡ କରି ଛାତ୍ରୀଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ। ଏନେଇ ପୀଡିତା ଛାତ୍ରୀ ଜଣଙ୍କ ନିଜ ପରିବାରକୁ ଜଣାଇବା ପରେ ପରିବାର ଲୋକ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ।
ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଦାଖଲ ହେବା ପରେ, କୁଦାନଗରୀ ଥାନାରେ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣା ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି।