ନୂଆଦିଲ୍ଲୀ: ଏଣିକି ଭାରତୀୟଙ୍କ ପାଇଁ ନେପାଳ ଯିବା ଆଉ ସହଜ ହେବ ନାହିଁ । ନେପାଳରେ ନୂତନ ସରକାର ଆସିବା ପରେ ବଡ଼ ପରିବର୍ତ୍ତନ ଦେଖାଦେଇଛି । ବାଲେନ୍ଦ୍ର ଶାହ ସରକାର ଭାରତୀୟଙ୍କ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳ ଯାଉଥିବା ଭାରତୀୟଙ୍କୁ ସୀମା ଶୁଳ୍କ ଦେବାକୁ ପଡ଼ିବ । ଖାଲି ସେତିକି ନୁହେଁ ସେଠାରୁ ଆଣୁଥିବା ସାମଗ୍ରୀ ଉପରେ ମଧ୍ୟ ଶୁଳ୍କ ଦେବାକୁ ବାଧ୍ୟ ଭାରତୀୟ ଯାତ୍ରୀ ।
ଭାରତ ଓ ନେପାଳ ମଧ୍ୟରେ ଦଶନ୍ଧି ଦଶନ୍ଧିର ଧରି ଏକ ବନ୍ଧୁତ୍ୱର ସମ୍ପର୍କ ରହିଛି । ଖାଲି ସେତିକି ନୁହେଁ ନେପାଳ ସହିତ ଭାରତର ପରମ୍ପରା ଏବଂ ସାଂସ୍କୃତିକ ସମ୍ପର୍କ ମଧ୍ୟ ରହିଆସିଛି । ଭାରତୀୟ ଏବଂ ନେପାଳୀଙ୍କୁ ବିନା ଦ୍ୱିଧାରେ ଦୁଇ ଦେଶ ଯାତାୟତ କରିପାରନ୍ତି । ଖାଲି ସେତିକି ନୁହେଁ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଏତେ ଦୃଢ଼ ଯେ ଭାରତୀୟ ସେନାର ବର୍ତ୍ତମାନର ମୁଖ୍ୟଙ୍କୁ 'ନେପାଳୀ ସେନାର ଜେନେରାଲ'ର ସମ୍ମାନଜନକ ଉପାଧି ପ୍ରଦାନ କରାଯାଏ, ଯେତେବେଳେ ନେପାଳୀ ସେନାର ମୁଖ୍ୟଙ୍କୁ 'ଭାରତୀୟ ସେନାର ଜେନେରାଲ'ର ସମ୍ମାନଜନକ ପଦବୀ ପ୍ରଦାନ କରାଯାଏ।
ଭାରତ ଏବଂ ନେପାଳ ମଧ୍ୟରେ ସୀମା ଖୋଲା ରହିଛି, ଯାହା ଲୋକଙ୍କୁ ବିନା ବାଧାରେ ଦୁଇ ଦେଶ ମଧ୍ୟରେ ମୁକ୍ତ ଭାବରେ ଗମନାଗମନ କରିବାକୁ ଅନୁମତି ଦିଏ । କିନ୍ତୁ ନୂତନ ନେପାଳ ସରକାର ଏବେ ଏହି ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଭାରତ-ନେପାଳ ସୀମା ନିୟମକୁ ସଂଶୋଧନ କରାଯାଇଛି । ଯେଉଁ ବ୍ୟକ୍ତିମାନେ ନିଜସ୍ୱ ଯାନରେ ସୀମା ପାର କରନ୍ତି କିମ୍ବା ସୀମା ଦେଇ ସାମଗ୍ରୀ ପରିବହନ କରନ୍ତି ସେମାନେ ଶୁଳ୍କ ଦେବାକୁ ବାଧ୍ୟ । ଭାରତରୁ ନେପାଳକୁ ନିଜସ୍ୱ ଯାନରେ ଯାତ୍ରା କରିବା ଆଉ ପୂର୍ବ ପରି ସହଜ ନୁହେଁ। ନେପାଳରେ ପ୍ରବେଶ କରିବା ପରେ, ଭାରତୀୟ ଯାନବାହନଗୁଡିକ ପଞ୍ଜୀକୃତ ହେବା ଏବେ ବାଧ୍ୟତାମୂଳକ। ଏହା ବ୍ୟତୀତ, ଆବଶ୍ୟକୀୟ ଯାନବାହନ ସମ୍ବନ୍ଧୀୟ ଡକ୍ୟୁମେଣ୍ଟେସନ୍ ମଧ୍ୟ ରହିବା ଆବଶ୍ୟକ।
ଭାରତୀୟ ନାଗରିକଙ୍କ ଯାନବାହାନ ଗୋଟିଏ ବର୍ଷ ମଧ୍ୟରେ 30 ଦିନରୁ ଅଧିକ ସମୟ ପାଇଁ ନେପାଳରେ ରହିପାରିବ ନାହିଁ । ଛୋଟ ଯାତ୍ରା ପାଇଁ ମଧ୍ୟ ଶୁଳ୍କ ଦେବା ଏବେ ବାଧ୍ୟତାମୂଳକ ହୋଇଯାଇଛି । ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ରହିବା ଆବଶ୍ୟକ । ନଚେତ୍ ନେପାଳ କର୍ତ୍ତୃପକ୍ଷ ଗାଡ଼ିକୁ ଜବତ କରିପାରନ୍ତି ଏବଂ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ଯାନକୁ ସ୍ଥାୟୀ ଭାବରେ ଜବତ କରାଯାଇପାରେ। ନେପାଳରୁ ଅଣାଯାଇଥିବା ସାମଗ୍ରୀ ଉପରେ ବର୍ତ୍ତମାନ କଷ୍ଟମ୍ ଶୁଳ୍କ ମଧ୍ୟ ଲାଗୁ ହେବ । ଯଦି ୧୦୦ ନେପାଳୀ ଟଙ୍କା (ପ୍ରାୟ ୬୨ ଭାରତୀୟ ଟଙ୍କା) ଅତିକ୍ରମ କରେ ତେବେ ଶୁଳ୍କ ଦେବାକୁ ପଡ଼ିବ । ପୂର୍ବରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ପାଇଁ ନେପାଳରେ ଅବାଧରେ ଯାନାବାହାନ ଚଳାଚଳ କରିବାକୁ ଅନୁମତି ଥିଲା । କିନ୍ତୁ ଏବେ ଦୈନିକ ଶୁଳ୍କ ଆଦାୟ କରାଯିବ ।
ତେବେ ଏହି ନିୟମ ଉଭୟ ଭାରତ ଓ ନେପାଳ ନାଗରିକଙ୍କୁ ଜଟିଳ ସ୍ଥିତିରେ ପକାଇ ପାରନ୍ତି । କାରଣ ଅନେକ ଭାରତୀୟ ଏବଂ ଅନେକ ନେପାଳ ନାଗରିକ ପରସ୍ପରର ଦେଶରେ ଜୀବିକା ପାଇଁ ରହିଛନ୍ତି । ଦକ୍ଷିଣ ନେପାଳରେ ରହୁଥିବା ଅନେକ ପରିବାର ଐତିହାସିକ ଭାବରେ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସୁଲଭ ସାମଗ୍ରୀ କିଣିବା ପାଇଁ ବିହାର ଏବଂ ଉତ୍ତର ପ୍ରଦେଶର ପଡ଼ୋଶୀ ଅଞ୍ଚଳକୁ ଆସିଥାଆନ୍ତି । ବର୍ତ୍ତମାନ, ଯଦି ସେମାନେ ଆବଶ୍ୟକୀୟ ଶୁଳ୍କ ଦେବାକୁ ମନା କରନ୍ତି, ତେବେ ନେପାଳୀ କଷ୍ଟମ୍ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ଶୁଳ୍କ ଲାଗୁ କରୁଛନ୍ତି କିମ୍ବା ସେମାନଙ୍କର ସାମଗ୍ରୀ ଜବତ କରୁଛନ୍ତି ।ଛୋଟ ଦୋକାନୀ ଏବଂ ବ୍ୟବସାୟୀମାନେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କାରଣ ଏହି ନୂତନ ନିୟମଗୁଡ଼ିକ ସେମାନଙ୍କ ବିକ୍ରୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।
ଏହି ନିୟାମକ ପରିବର୍ତ୍ତନ ପଛରେ କାରଣ କ'ଣ?
ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱରେ ସରକାର ଏବେ ଛୋଟ ଛୋଟ ନିୟମ ଉଲ୍ଲଂଘନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ହେଉଛି ଅବୈଧ ଯାନବାହନକୁ ରୋକିବ, ଟିକସ ଫାଙ୍କି ରୋକିବା ଏବଂ ନେପାଳ ମଧ୍ୟରେ ଉତ୍ପାଦିତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ବୋଲି କହିଛନ୍ତି ଅଧିକାରୀ ।