ନୂଆଦିଲ୍ଲୀ: ଏପ୍ରିଲ ୨୨ ଗତ ବର୍ଷ ଠିକ୍ ଆଜିର ଦିନରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ବୈସରନ ଉପତ୍ୟକାରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏବେ ଏହି ଯାଞ୍ଚରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ତଦନ୍ତରୁ ଜଣା ପଡିଛି ଯେ, ଯଦି ଜେଲରେ ବନ୍ଦୀ ଦୁଇ ସ୍ଥାନୀୟ କାଶ୍ମୀରୀ ଲୋକ ସମୟ ପୂର୍ବରୁ ପୋଲିସକୁ ସୂଚନା ଦେଇଥାନ୍ତେ, ତେବେ ଏହି ଭୀଷଣ ନରସଂହାରକୁ ସହଜରେ ରୋକା ଯାଇ ପାରିଥାନ୍ତା ।
କିଛି ଟଙ୍କା ପାଇଁ ଆତଙ୍କବାଦୀକୁ ଦେଲେ ଆଶ୍ରୟ
ଏହି ଘଟଣାରେ ଗିରଫ ଦୁଇ ସ୍ଥାନୀୟ ଲୋକ ହେଉଛନ୍ତି ପରଭେଜ ଅହମ୍ମଦ ଓ ବଶୀର ଅହମ୍ମଦ ଜୋଥଡ । ଏହି ଦୁଇ ଜଣ ମାତ୍ର ୩ ହଜାର ଟଙ୍କାର ଲୋଭରେ ପଡି ତିନି ଜଣ ପାକିସ୍ତାନୀ ଆତଙ୍କବାଦୀକୁ ନିଜ ଘରେ ଆଶ୍ରୟ ଦେଇଥିଲେ ଏବଂ ସେମାନଙ୍କ ସହାୟତା କରିଥିଲେ । ଏପ୍ରିଲ ୨୧ ରାତି ଅର୍ଥାତ ହମଲାର ଠିକ୍ ଗୋଟିଏ ରାତି ପୂର୍ବରୁ ତିନି ଆତଙ୍କୀ ଏହି ଦୁଇ ବ୍ୟକ୍ତିଙ୍କ ଘରକୁ ଆସିଥିଲ । ପ୍ରାୟ ୫ ଘଣ୍ଟା ରହିବା ସହ ଭୋଜନ ବି କରିଥିଲେ ।
କଥାବାର୍ତ୍ତା ସମୟରେ ଆତଙ୍କବାଦୀମାନେ ପାକିସ୍ତାନୀ ଶୈଳୀରେ ଉର୍ଦ୍ଦୁ-ପଞ୍ଜାବୀ ମିଶ୍ରିତ ଭାଷା କହୁଥିଲେ । ସେମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲା । ସେଥିରେ ଜଣେ ଅଲ୍ଲୀ ଭାଇ ନାମକ ଆତଙ୍କବାଦୀ ଥିଲା । ଅଲୀ ଭାଇ ବାସ୍ତବରେ ଲସ୍କର ଏ ତୋଇବାର ଦ ରେଜିଷ୍ଟାନ୍ସ ଫ୍ରଣ୍ଟର ଶୀର୍ଷ କମାଣ୍ଡର । ମୁଖ୍ୟ ଅପରାଧୀ ହେଉଛି ସାଜିଦ ଭଟ୍ଟ, ଯିଏ ପାକିସ୍ତାନର କସୁର ଅଞ୍ଚଳର ବାସିନ୍ଦା ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ, ରାତି ପ୍ରାୟ ୧୦ଟା ୩୦ରେ ଆତଙ୍କବାଦୀ ସେଠାରୁ ବାହାରି ଥିଲେ । ଯିବା ସମୟରେ ନିଜ ସହ କିଛି ଖାଦ୍ୟ ପକେଟ ଓ ରୋଷେଇ ପାଇଁ କଂସା ବାସନ, ତିରପାଲ ମଧ୍ୟ ନେଇଥିଲେ । ଆତଙ୍କବାଦୀଙ୍କ ଏମିତି ଗତିବିଧି ଦେଖି ମଧ୍ୟ ପରଭେଜ ଓ ବଶୀର ନିରବ ରହିଥିଲେ ।
ସବୁ ଦେଖିଲେ ତଥାପି ନିରବ
ହମଲା ଦିନ ୨୦୨୫ ଏପ୍ରିଲ ୨୨ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ନରସଂହାର ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପରଭେଜ ଓ ବଶୀର ତିନି ଆତଙ୍କବାଦୀଙ୍କୁ ବୈସରନରେ ଏକ ବୁଦା ପଛରେ ଛପି ରହିଥିବା ଦେଖିବାକୁ ପାଇଥିଲେ । ଏହା ସଂପୂର୍ଣ୍ଣ ସ୍ପଷ୍ଟ ଥିଲା ଯେ, ବଡ ଧରଣର ଆତଙ୍କୀ ହମଲା ହେବାକୁ ଯାଉଛି । ଯଦି ଚାହିଁ ଥାନ୍ତେ ତୁରନ୍ତ ପୋଲିସ କିମ୍ବା ସ୍ଥାନୀୟ ଟୁରିଷ୍ଟ ଅପରେଟର୍ସଙ୍କୁ ଏହାର ସୂଚନା ଦେଇ ପାରିଥାନ୍ତେ ଦୁଇ ସ୍ଥାନୀୟ ବାସିନ୍ଦା । ମାତ୍ର ଉଭୟ ସେମିତି କିଛି କଲେ ନାହିଁ । ଓଲଟା ଘୋଡା ଧରି ଦୂରକୁ ଚାଲିଗଲେ ଏବଂ ନିଜ ପର୍ଯ୍ୟଟକଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ।
ହମଲା ପରେ ଫେରାର ଓ ଏନଆଇର ଆକ୍ସନ
ଯେବେ ଦୁହେଁ ବୈସରନରେ ହୋଇଥିବା ହୃଦୟ ବିଦାରକ ଆତଙ୍କୀ ହମଲା ବିଷୟରେ ଜାଣିବାକୁ ପାଇଲେ, ସେମାନେ ବୁଝି ଯାଇଥିଲେ, ଯେଉଁ ଆତଙ୍କବାଦୀଙ୍କୁ ସେମାନେ ଆଶ୍ରୟ ଦେଇଥିଲେ ସେହି ମାନେ ହିଁ ଏହି ହମଲା କରିଛନ୍ତି । ନିଜକୁ ବଞ୍ଚାଇବା ପାଇଁ ଦୁହେଁ ପାହାଡରେ ନିର୍ମିତ ନିଜର ଅସ୍ଥାୟୀ ଝୁପୁଡି ଘର ଛାଡି ଫେରାର ହୋଇ ଯାଇଥିଲେ । ହେଲେ ଏନଆଇଏ ଶେଷରେ ଦୁହିଁଙ୍କୁ ଖୋଜି ବାହାର କରିଥିଲା । ୨୦୨୫ ଜୁନ ୨୨ରେ ଦୁହିଁଙ୍କୁ ଗିରଫ କରାଯାଇଥିଲା ।