ଢେଙ୍କାନାଳ: ଦେଶରେ ଜନଗଣନା ଚାଲିଥିବାବେଳେ ଜନଗଣନା ଅଧିକାରୀ ନାମରେ ସାଧାରଣ ଜନତାଙ୍କଠାରୁ ହୋଇଛି ଲୁଟ୍ । ଜଣେ ବ୍ୟକ୍ତି ନିଜକୁ ଜନଗଣନା ଅଧିକାରୀ କହି ମହିଳାଙ୍କଠାରୁ ସଶସ୍ତ୍ର ଡକାୟତି କରିଛି । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମରେ ଏଭଳି ଖବର ସାମ୍ନାକୁ ଆସିଛି ।
ମଙ୍ଗଳବାର ମଧ୍ୟାହ୍ନ ସମୟରେ ରାସୋଳ ଥାନା ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମରେ ଜଣେ ବ୍ୟକ୍ତି ନିଜକୁ ଜନଗଣନା ଅଧିକାରୀ କହି ଜଣଙ୍କ ଘରକୁ ଯାଇଥିଲେ । ଏହା ପରେ ମହିଳାଙ୍କୁ ଆଧାରକାର୍ଡ ଆଣିବାକୁ କହିଥିଲେ । ମହିଳା ଜଣକ ଘର ଭିତରକୁ ଆଧାରକାର୍ଡ ଆଣିବାକୁ ଯାଇଥିଲେ । ଏପଟେ ମହିଳାଙ୍କ ଘରେ କେବଳ ଦୁଇଟି ଛୋଟ ପିଲା ଥିବା ସହିତ ଘରେ ଆଉ କେହି ନଥିବାର ବ୍ୟକ୍ତି ଜଣକ ଜାଣିପାରିଥିଲେ । ଏହାର ସୁଯୋଗ ନେଇ ମହି ଛୁଆଙ୍କ ବେକରେ ଛୁରୀ ଲଗାଇ ମହିଳାଙ୍କୁ ଠାରୁ ମଙ୍ଗଳସୂତ୍ର ଲୁଟି ନେଇଥିଲେ । ମହିଳା ଜଣକ ତୁରନ୍ତ ଘରର କବାଟ ବନ୍ଦ କରି ଦେଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ତେବେ ଦୁର୍ବୃତ୍ତ ଭୟରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ।
ଏନେଇ ମହିଳା ଜଣଙ୍କ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କଠାରୁ ସୁନା ଗହଣା ଲୁଟି ନେବା ସହିତ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ରାସୋଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।