ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ଜଣେ ବଡ ଅଫିସରଙ୍କ ଘରେ ହିଁ ଝିଅକୁ ହତ୍ୟା କରାଯାଇଛି । ପୋଲିସର ଆଶଙ୍କା ହତ୍ୟା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଅମର କଲୋନୀରେ ଏହି ଘଟଣା ଘଟିଛି । ପୋଲିସ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତରେ ଜୁଟି ଯାଇଛି । ଘରର ସହାୟକ ଉପରେ ପୋଲିସ ସନ୍ଦେହ ପ୍ରକାଶ କରିଛି । କାରଣ ସହାୟକକୁ ନିକଟରେ କାମରୁ ହଟାଇ ଦେଇଥିଲେ ଆଇଆରଏସ ଅଧିକାରୀ ।
ବୁଧବାର ଦକ୍ଷିଣପୂର୍ବ ଦିଲ୍ଲୀର ଅମର କଲୋନୀରେ ଜଣେ ଆଇଆରଏସ ଅଧିକାରୀଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଥିଲା । ଏହି ଖବର ପ୍ରଘଟ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରେ ଯୁବତୀଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ପାଇଛି । ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ମୋବାଇଲ ଚାର୍ଜରର ତାରରେ ହିଁ ତଣ୍ଟି ଚିପା ଯାଇଥିବା ପୋଲିସ ଆଶଙ୍କା କରୁଛି ।
ଘରେ ଏକାକୀ ଥିଲେ ପୀଡିତା
ପୋଲିସ ଅନୁଯାୟୀ, ସନ୍ଦିଗ୍ଧ ପରିସ୍ଥିତିରେ ପରିବାର ଲୋକେ ଝିଅର ମୃତ ଦେହ ଘର ଭିତରେ ପଡିଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ଗୋଟିଏ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ତଣ୍ଟି ଚିପିବା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି । ମୃତକଙ୍କ ବୟସ ପ୍ରାୟ ୨୧ ବର୍ଷ ହେବ । ପରିଜନଙ୍କ କହିବା କଥା ଘଟଣା ସମୟରେ ଯୁବତୀ ଏକାକୀ ଘରେ ଥିଲେ ।
ଘରୋଇ ସହାୟକ ଉପରେ ସନ୍ଦେହ
ପୋଲିସ ପ୍ରାରମ୍ଭିକ ତଦନ୍ତରେ ସହାୟକ ଉପରେ ସନ୍ଦେହ ପ୍ରକାଶ ପାଇଛି । କାରଣ ଏହି ଘରେ ହିଁ ସହାୟକ କାମ କରୁଥିଲା । ପ୍ରାୟ ଏକ ମାସ ପୂର୍ବେ ତାଙ୍କୁ କାମରୁ ବାହାର କରି ଦିଆଯାଇଥିଲା । ସନ୍ଦିଗ୍ଧ ଫେରାର ଥିବା କୁହାଯାଉଛି । ପୋଲିସ କେସ୍ ରୁଜୁ କରି ସାରିଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି । ଖୁବ ଶୀଘ୍ର ଏହି ମାମଲାର ଖୁଲାସା ଏବଂ ଦୋଷୀକୁ ଧରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।