ଆଠମଲ୍ଲିକ: ବାହାଘର ବରଯାତ୍ରୀ ପ୍ରସେସନରେ ବାଣ ଫୁଟିବା ବଦଳରେ ଫୁଟିଛି ଗୁଳି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ବରଯାତ୍ରୀ ପ୍ରସେସନରେ ଗୁଳିକାଣ୍ଡ ଘଟିଛି । ଫଳରେ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ରାକେଶ କହଁର ଏବଂ ସଞ୍ଜିବ ଭୋଇ । ଦୁଇ ଜଣଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଗତକାଲି ରାତିରେ ବୌଦ୍ଧ ମନମୁଣ୍ଡାରୁ ଆଠମଲ୍ଲିକ ବେଲପୁଞ୍ଜି ଗ୍ରାମକୁ ବରଯାତ୍ରୀ ଆସିଥିଲେ । ବରଯାତ୍ରୀ ନାଚ ଚାଲିଥିବାବେଳେ ଏକ କାରରେ କିଛି ବାହାର ଲୋକ ନିଶାସକ୍ତ ଅବସ୍ଥାରେ ଆସି ବନ୍ଧୁକ ଦେଖାଇ ହଙ୍ଗାମା କରିଥିଲେ । କାର୍ ଉପରେ ବ୍ୟକ୍ତି ଜଣକ ଚଢ଼ି ଗୁଳି କରିବାକୁ ଧମକ ଦେଇଥିଲେ । ଜଣେ ବରଯାତ୍ରୀ ଉକ୍ତ ବ୍ୟକ୍ତିଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିବା ବେଳେ ହଠାତ୍ ଗୁଳି ଚାଳନା କରିଥିଲେ । ଫଳରେ ରାକେଶ କହଁରଙ୍କ ପାପୁଲିରେ ଗୁଳି ବାଜିଥିବାବେଳେ ସଞ୍ଜିବ ଭୋଇଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଅନ୍ୟ ବରଯାତ୍ରୀମାନେ ଭୟରେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ଦୁଇ ଜଣ ଗୁରୁତରଙ୍କୁ ପ୍ରଥମେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଜଣ ଏବେ ବିପଦମୁକ୍ତ ଅଛନ୍ତି ।
ସେପଟେ ଏହି ସମୟରେ ଦୁର୍ବୃତ୍ତ ଜଣକ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ । ସେ ମଧ୍ୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଉଭୟ ପକ୍ଷ କେହି କାହାକୁ ଚିହ୍ନିନଥିବା ଜଣାପଡ଼ିଛି । ତେବେ କାହିଁକି ଗୁଳି କାଣ୍ଡ ତାହା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।