ବଲାଙ୍ଗିର: ବେଦୀ ସଜା ହୋଇଥିଲା, ବରଯାତ୍ରୀ ପହଁଚିଥିଲେ । ବିବାହ ଭୋଜି ମଧ୍ୟ ଚାଲିଥିଲା । ହେଲେ ହାତଗଣ୍ଠି ପଡ଼ି ପାରିଲା ନାହିଁ । ସ୍ୱାମୀର ଦ୍ୱିତୀୟ ବିବାହ ସ୍ୱପ୍ନକୁ ଛାରଖାର କରିଦେଲା ପ୍ରଥମ ପତ୍ନୀ । ବେଦୀରେ ବସିବା ପୂର୍ବରୁ ଥାନାକୁ ଟଣାହେଲା ବରା । ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରୁଥିବା ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ପୋଲିସ ଉଠାଇ ନେଇଛି । ବ୍ୟକ୍ତି ଜଣକ ହେଲେ ଗଣ୍ଡବାହାଲ ଗ୍ରାମର ଋକ୍ମଣ ମେସ୍ୱା ।
ଅଭିଯୋଗ ମୁତାବକ,୨୦୨୨ ମସିହାରେ ଋକ୍ମଣ ମେସ୍ୱା ଗଣ୍ଡବାହାଲ ଗ୍ରାମର ୨୨ ବର୍ଷୀୟ ଅନୁପମା ବାଗଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର ମାତ୍ର କେଇଟା ଦିନ ପରେ ପତି ପତ୍ନୀଙ୍କ ମଧ୍ୟରେ ମତାନ୍ତର ହେଉଥିଲା । ଏମିତିକି ଋକ୍ମଣ ସ୍ତ୍ରୀ ଅନୁପମାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ୨୦୨୩ ମସିହାରେ ଏ ନେଇ ଅନୁପମା ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏମିତିକି ସେ ସ୍ତ୍ରୀକୁ ଛାଡ଼ି ଚାଲିଯାଇଥିଲା । ଉଭୟଙ୍କ ମାମଲା ବିଚାରଧୀନ ରହିଛି । କିନ୍ତୁ ଋକ୍ମଣ ଏପଟେ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳର ଜିରାମୁଣ୍ଡା ମନ୍ଦିରରେ ଋକଣ୍ମଙ୍କ ଦ୍ୱିତୀୟ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ବର ମଧ୍ୟ ମନ୍ଦିରରେ ପହଁଚିଥିଲା । କିନ୍ତୁ ପ୍ରଥମ ବିବାହ ସମ୍ପର୍କରେ ଖବର ପାଇବା ପରେ ପୁଇଁନ୍ତଳା ପୋଲିସ ସହିତ ମନ୍ଦିରରେ ପହଁଚିଥିଲେ । ଶେଷରେ ପୋଲିସ ବରକୁ ଅଟକ ରଖିଛି । ସେପଟେ ଅନୁପମା ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।