ଭୁବନେଶ୍ୱର ; ପ୍ରଚଣ୍ଡ ତାତିରେ ଏବେ ଅସ୍ତବ୍ୟସ୍ତ ଜୀବନ। ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହେଉଛି। ତାପମାତ୍ରା ବୃଦ୍ଧି ସହିତ ଗରମ ପବନ ଲୋକଙ୍କୁ କ୍ଲାନ୍ତ କରୁଛି। ପାଣିପାଗ ବିଭାଗ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିବ ବୋଲି ସତର୍କ କରିଛି। ବିଶେଷ କରି ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ କୌଣସି ଆଶ୍ଵସ୍ତି ମିଳିବା ନାହିଁ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ଏହିଭଳି ସ୍ଥିତି ଲାଗି ରହିବ ଓ ତାତିରୁ ନିସ୍ତାର ମିଳିବ ନାହିଁ। ବିଶେଷକରି ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ଟିଟିଲାଗଡ, ନୂଆପଡା, ବଲାଙ୍ଗୀର ଓ ଭବାନୀପାଟଣା ଏହି ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ତେବେ ଦିନକୁ ଦିନ ବଢୁଥିବା ତାତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ।
ତେବେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଦିନରେ କାମ କରିବେ ନାହିଁ ବୋଲି ସୂଚନା ଜାରି ହୋଇଛି। ଯଦି କେହି ଠିକା ସଂସ୍ଥା ସେମାନଙ୍କୁ ବାଧ୍ୟ କରି କାମ କରନ୍ତି ତେବେ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।