ଯାଜପୁର: ଦଣ୍ଡମୁକ୍ତ ଅଞ୍ଚଳରେ ପିଲାଙ୍କୁ ଦଣ୍ଡ ଦେଇଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ସାରୁଆବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ଦେହୁରୀଙ୍କୁ ନିଲମ୍ବିତ କରାଯାଇଛି ।
ଗତ ୧୭ ତାରିଖରେ ସାରୁଆବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଦଣ୍ଡ ଦେଇଥିଲେ । ସମସ୍ତଙ୍କୁ ନିଜ ନିଜ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇବାକୁ ବାଧ୍ୟ କରିଥିଲେ । ପିଲାମାନେ ପ୍ରଧାନ ଶିକ୍ଷକଙ୍କ ଡରରେ ନିର୍ଦ୍ଦେଶକୁ ପାଳନ କରିଥିଲେ । ଏହା ପର ସେମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପରେ ସମସ୍ତେ ଘରେ ଜଣାଇବାକୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସୁକିନ୍ଦା ବିଇଓ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।