ଭୁବନେଶ୍ୱର: ଓଡ଼ିଶାର ପୌର ନିର୍ବାଚନ ବ୍ୟବସ୍ଥାରେ ଆସିପାରେ ବଡ଼ ପରିବର୍ତ୍ତନ। ୨୦୨୭ ପୌର ନିର୍ବାଚନକୁ ନଜରରେ ରଖି ସରକାର ପକ୍ଷରୁ ମେୟର ଓ ପୌରାଧ୍ୟକ୍ଷଙ୍କ ନିର୍ବାଚନ ପ୍ରଣାଳୀକୁ ପୁଣିଥରେ ବଦଳାଇବାକୁ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନା ଅନୁଯାୟୀ, ଏଥର ସିଧାସଳଖ ଭୋଟ୍ ନୁହେଁ, ପରୋକ୍ଷ ଭାବେ ମେୟର ଓ ପୌରାଧ୍ୟକ୍ଷ ବଛାଯିବେ।
୨୦୨୨ରେ ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ପ୍ରଥମଥର ପାଇଁ ସିଧାସଳଖ ଭୋଟ୍ ମାଧ୍ୟମରେ ମେୟର ଓ ପୌରାଧ୍ୟକ୍ଷଙ୍କୁ ଚୟନ କରାଯାଇଥିଲା। ଜନସାଧାରଣ ନିଜେ ନେତୃତ୍ୱ ବାଛିଥିଲେ। କିନ୍ତୁ ଆସନ୍ତା ନିର୍ବାଚନରେ ଏହି ପ୍ରଣାଳୀକୁ ପୁଣି ବଦଳାଇବା ପାଇଁ ସରକାରୀ ମହଳରେ ପ୍ରସ୍ତୁତି ଚାଲିଛି।
ନୂଆ ପ୍ରସ୍ତାବ ଅନୁସାରେ, ନିର୍ବାଚିତ କର୍ପୋରେଟରମାନେ ମେୟରଙ୍କୁ ବାଛିବେ ଏବଂ କାଉନ୍ସିଲରମାନେ ପୌରାଧ୍ୟକ୍ଷଙ୍କୁ ନିର୍ବାଚନ କରିବେ। ଏହି ପରିବର୍ତ୍ତନ ପାଇଁ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ୨୦୦୩ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍ ଆକ୍ଟ, ୨୦୦୩ରେ ସଂଶୋଧନ ଆଣାଯିବାର ସମ୍ଭାବନା ରହିଛି।
ଜଣାପଡ଼ୁଛି ଯେ, ୨୦୧୮ରେ ହୋଇଥିବା ସଂଶୋଧନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ, ବର୍ତ୍ତମାନ ପୁଣି ପରୋକ୍ଷ ପ୍ରଣାଳୀକୁ ଫେରିବା ଯୋଜନା ଚାଲିଛି। ଏହାସହ ଅନେକ ପୌରସଂସ୍ଥାରେ ୱାର୍ଡ ସଂଖ୍ୟା ବୃଦ୍ଧି, ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥାରେ ବଦଳ ଆଣିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ରାଜନୈତିକ ମହଳରେ ଏହାକୁ ନେଇ ତର୍କ ବଢ଼ୁଥିବାବେଳେ, ଶାସକ ଦଳ ପକ୍ଷରୁ ଆଗାମୀ ନିର୍ବାଚନରେ ଅଧିକ ପୌରସଂସ୍ଥା ଦଖଳ କରିବାକୁ ଏକ ରଣନୀତି ଭାବେ ଦେଖାଯାଉଛି।
ଏହି ପ୍ରସ୍ତାବକୁ ଶୀଘ୍ର କ୍ୟାବିନେଟ୍ରେ ଅନୁମୋଦନ ପାଇଁ ରଖାଯିବ ଏବଂ ପରେ ବିଧାନସଭାରେ ପାସ୍ କରାଯିବାର ଯୋଜନା ରହିଛି। ଯଦି ଏହା ଲାଗୁ ହୁଏ, ତେବେ ଓଡ଼ିଶାର ପୌର ନିର୍ବାଚନ ଇତିହାସରେ ଆଉ ଗୋଟିଏ ବଡ଼ ପରିବର୍ତ୍ତନ ଲିପିବଦ୍ଧ ହେବ।