କଳାହାଣ୍ଡି ଜିଲା କାରାଗାରରେ ପୁଣିଥରେ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ। ମଧ୍ୟରାତ୍ରୀରେ ଜେଲ୍ ପାଚେରୀ ଡେଇଁ ଜଣେ ବିଚାରଧୀନ କଏଦୀ ଫେରାର ମାରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଫେରାର କଏଦୀ ଜଣକ ସଦର ଥାନା ଅଞ୍ଚଳର ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗତ ଫେବ୍ରୁଆରୀ ୧୪ରୁ ସେ ତିନୋଟି ଚୋରି ମାମଲାରେ ବିଚାରଧୀନ କଏଦୀ ଭାବେ କଳାହାଣ୍ଡି ଜିଲା କାରାଗାରରେ ରହୁଥିଲେ। କିନ୍ତୁ ଗତକାଲି ରାତି ୧୨ଟା ୫୬ ମିନିଟରେ ସୁଯୋଗ ନେଇ ସେ ଜେଲ୍ ପାଚେରୀ ଡେଇଁ ପଳାଇଯାଇଥିବା ଜଣାପଡିଛି। ଏହି ଘଟଣା ପରେ ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଫେରାର କଏଦୀଙ୍କୁ ଧରିବା ପାଇଁ ଚାରିଦିଗରେ ଚଢ଼ାଉ ଜାରି ରହିଛି।
ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ଜିଲା କାରାପରିଚାଳନା ବିଭାଗର ଡିଜି ସନ୍ଧ୍ୟାରେ କାରାଗାର ପରିଦର୍ଶନ କରିବେ ବୋଲି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା କେଉଁଠି ଫାକ ରହିଗଲା, ତାହା ନେଇ ତଦନ୍ତ ଜୋରଦାର ହେଉଛି।
ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଏପ୍ରିଲ ୭ରେ ମଧ୍ୟ ଏହି ଜେଲ୍ରୁ ଦୁଇଜଣ ବିଚାରଧୀନ କଏଦୀ ପାଚେରୀ ଡେଇଁ ଫେରାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ସିକନ୍ଦର ଜାଲକୁ ପୁଲିସ ପରଦିନେ ଧରିପାରିଥିଲେ, କିନ୍ତୁ ନୀଳମଣି ବିଭାର ଏପର୍ଯ୍ୟନ୍ତ ପୁଲିସ ହାତକୁ ଆସିନାହାନ୍ତି।
ପୁଣିଥରେ ଏଭଳି ଘଟଣା ଘଟିବାରୁ କଳାହାଣ୍ଡି ଜିଲା କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ବଢ଼ିଛି। ପ୍ରଶ୍ନ ଉଠୁଛି ଜେଲ୍ ଭିତରେ ସୁରକ୍ଷା କେତେ ମଜବୁତ? ଏବଂ ଏଭଳି ଘଟଣା କେବେ ରୋକାଯିବ?