ଜଗତସିଂହପୁର: ମାତ୍ର ତିନି ଦିନ ତଳେ ନିର୍ବନ୍ଧ ସରିଥିଲା । ଝିଅର ପାଦରୁ ଅଳତା ଲିଭିନଥିଲା । ଆଉ ଦିନ କେଇଟା ପରେ ଉଠିଥାଆନ୍ତା ଶବାରୀ । କିନ୍ତୁ ଏହା ପୂର୍ବରୁ ସବୁକିଛି ଶେଷ ହୋଇଯାଇଛି । ଘର ଦୁଆରୁ ଶବାରୀ ଉଠିବା ବଦଳରେ ଉଠିଛି କୋକେଇ । ଆଉ ଛାତି ଫଟାଇ କାନ୍ଦୁଛି ମାଆ । ଜଗତସିଂହପୁର ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମରେ ଜଣେ ଯୁବତୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବତୀ ଜଣକ ହେଲେ ଉକ୍ତ ଗ୍ରାମର ପ୍ରମୋଦ ଦାସଙ୍କ ସାନ ଝିଅ ସସ୍ମିତା ଦାସ ଓରଫ୍ ଡଲି ।
ଗତ ୧୯ତାରିଖ ଦିନ ପ୍ରମୋଦ ଦାସଙ୍କ ସାନ ଝିଅ ସସ୍ମିତାଙ୍କର ନିର୍ବନ୍ଧ ହୋଇଥିଲା । ଆଉ କିଛି ଦିନ ପରେ ବିବାହ ହୋଇଥାଆନ୍ତା । ଗତକାଲି ସନ୍ଧ୍ୟା ପ୍ରାୟ ୮ ଟା ୩୦ ସମୟରେ ସସ୍ମିତା ମାଆକୁ ଭଜା ଭାଜିବାକୁ କହିଥିଲେ । ଭଜା ସରିଲେ ସେ ଖାଇବେ କହି ପଡ଼ୋଶୀ ଘରକୁ ବାହାରି ଆସିଥିଲା । କିନ୍ତୁ ଝିଅ ଆଉ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବହୁତ ସମୟ ଖୋଜାଖୋଜି କରିବା ପରେ ଘର ପାଖ ବିଲରେ ଝିଅକୁ ମରି ପଡ଼ିଥିବାରୁ ଦେଖି ବାପା-ମାଆଙ୍କ ଛାତି ଫାଟିଯାଇଥିଲା ।
ତେବେ ସସ୍ମିତାଙ୍କ ବାପା ପ୍ରମୋଦ ହତ୍ୟା ଅଭିଯୋଗ ଆଣିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେ କହିଛନ୍ତି । କିଛି ଦିନ ତଳେ କୌଣସି ଏକ କଥାକୁ ନେଇ ଘର ପାଖରେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଘର ଉପରେ ବୋମା ପକାଇବା ସହିତ ଝିଅର ବିବାହ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ । ଏ ନେଇ ସେ ଗତ ୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ତେଣୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଜଗତସିଂହପୁର ପୋଲିସ ମୃତଦେହକୁ ଜବତ କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ଆରମ୍ଭ ହୋଇସାରିଥିବାବେଳେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।