ଭୁବନେଶ୍ୱର ; ପୃଥିବୀ ହେଉଛି ମଣିଷ ତଥା ସମସ୍ତ ଜୀବଜନ୍ତୁଙ୍କ ପାଇଁ ଜୀବନଦାୟିନୀ। ପୃଥିବୀ ହେଉଛି ଏକମାତ୍ର ଏପରି ଗ୍ରହ ଯେଉଁଠାରେ ସୁରୁଖୁରୁରେ ଜୀବନ ଜିଇଁବା ସମ୍ଭବ। ଏଠାରେ ବାୟୁ, ପାଣି, ମାଟି, ସୂର୍ଯ୍ୟକିରଣ ଏବଂ ଅନୁକୂଳ ତାପମାତ୍ରା ସମେତ ଜୀବନ ଜିଇଁବା ପାଇଁ ଆବଶ୍ୟକ ସମସ୍ତ ପ୍ରାକୃତିକ ସମ୍ପଦ ପୃଥିବୀରେ ଉପଲବ୍ଧ। ଆହାରଠୁ ନେଇ ବାସଗୃହ, ସବୁକିଛି ଯୋଗାଉଛି ଏହି ଧରିତ୍ରୀ। ହେଲେ ମାନବର ନିହିତ ସ୍ବାର୍ଥ ଆଜି ପୃଥିବୀକୁ ଦୂଷିତ କରିପକାଇଛି। ବିଶ୍ବ ତାପନ, ଜଳବାୟୁ ପରିବର୍ତ୍ତନ ଆଦି ସଙ୍କଟ ବସୁନ୍ଧରାକୁ ଅଣନିଶ୍ବାସୀ କରିପାକାଇଲାଣି।
ଫଳରେ ଅବେଳରେ ବନ୍ୟା, ବାତ୍ୟା, ସୁନାମୀ, ଭୂମିକମ୍ପ, ଲାର୍ଭା ଉଦ୍ଗୀରଣ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମାନବ ସମାଜ। ଏହାକୁ ରୋକିବା ପାଇଁ ଆମକୁ ହିଁ ପୃଥିବୀର ଯତ୍ନ ନେବାକୁ ପଡିବ। ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ପୃଥିବୀ ଦିବସ ରୂପେ ପାଳନ କରାଯାଉଛି। ଏହି ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।
ପୃଥିବୀର ସୁରକ୍ଷା ପାଇଁ ବିଶ୍ବବାସୀଙ୍କୁ ଏକତ୍ରିତ କରିବା ଉଦ୍ଦେଶ୍ୟରେ ୧୯୭୦ ମସିହା ଏପ୍ରିଲ୍ ୨୨ ତାରିଖରେ ଆମେରିକାରେ ବିଶ୍ବ ପୃଥିବୀ ଦିବସ ପ୍ରତିଷ୍ଠା ହୋଇଥିଲା। ସେବେଠାରୁ ପୃଥିବୀର ସୁରକ୍ଷା ପାଇଁ ଏହି ଦିବସ ପାଳନ କରାଯାଉଛି। ପରିବର୍ତ୍ତିତ ଜଳବାୟୁ, ତାପମାତ୍ରାର ଅହେତୁକ ବୃଦ୍ଧି ଏହି ଦିବସ ପାଳନ ଓ ପୃଥିବୀ ପ୍ରତି ଯତ୍ନବାନ୍ ହେବା କେତେ ଆବଶ୍ୟକ ତାହା ସୂଚାଉଛି। ଏପରିକି ପୁଞ୍ଜିନିବେଶର ଅର୍ଥ ଧନ-ସମ୍ପତ୍ତି ପାଣ୍ଠି ସ୍ଥାପନ କରିବା ତାହା ନୁହେଁ, ବରଂ ବୃକ୍ଷରୋପଣ, ପୃଥିବୀର ସ୍ବଚ୍ଛତା, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ପ୍ରତି ଯତ୍ନବାନ୍ ହେବା। ତେବେ ଚଳିତବର୍ଷର ବିଶ୍ବ ପୃଥିବୀ ଦିବସର ଥିମ ରହିଛି “ଆମ ଶକ୍ତି, ଆମ ପୃଥିବୀ”।
ଅଧିକ ପଢନ୍ତୁ ; ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଜୀବନ ; ୭ଦିନ ଯାଏଁ ମିଳିବନି ତ୍ରାହି