ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଗରିବ ପରିବାରଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେଉଛି। ମଙ୍ଗଳବାର ଦିନ ମାଲକାନଗିରି, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ସାମୂହିକ ବିବାହ ଉତ୍ସବରେ ମୋଟ ୯୪ଟି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ନୂଆ ଜୀବନରେ ପଦାର୍ପଣ କରିଛନ୍ତି।
ମାଲକାନଗିରିର କଲ୍ୟାଣ ମଣ୍ଡପରେ ୧୭ଟି ଯୋଡ଼ି ପାରମ୍ପରିକ ବେଦିକ ରୀତିନୀତିରେ ବିବାହ ସମ୍ପନ୍ନ କରିଥିବାବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ବିଧାୟକ ନରସିଂହ ମାଡକାମି ଓ ମଙ୍ଗୁ ଖିଲା ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଜିଲ୍ଲାପାଳ କହିଥିଲେ, ଏହି ଯୋଜନା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ନୂଆ ଆଶା ଦେଉଛି ଓ ସମାଜରେ ସମ୍ମାନ ସହ ଜୀବନ ଆରମ୍ଭ କରିବାର ଅବସର ମିଳୁଛି।
ଢେଙ୍କାନାଳର ଅଭିନନ୍ଦନ ଗାର୍ଡେନରେ ମଧ୍ୟ ୨୮ଟି ଯୋଡ଼ିଙ୍କ ବିବାହ ଭବ୍ୟ ଭାବେ ସମ୍ପନ୍ନ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଯୋଜନାକୁ ନବବିବାହିତ କନ୍ୟାମାନେ ‘ଐତିହାସିକ ପଦକ୍ଷେପ’ ବୋଲି ବର୍ଣ୍ଣନା କରିଛନ୍ତି।
ଅନ୍ୟପଟେ ଖୋର୍ଦ୍ଧାର ପବିତ୍ର ବରୁଣେଇ ପୀଠରେ ୪୯ଟି ଯୋଡ଼ି ମନ୍ତ୍ରଧ୍ୱନି ମଧ୍ୟରେ ବିବାହ ବନ୍ଧନରେ ବାନ୍ଧାହୋଇଛନ୍ତି। ବିବାହ ପରେ ସମସ୍ତ ଯୋଡ଼ି ମା’ ବରୁଣେଇଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ପ୍ରଶାସନ ପକ୍ଷରୁ ବରକନ୍ୟାଙ୍କ ପାଇଁ ସୁବିଧାଜନକ ବ୍ୟବସ୍ଥା, ଭୋଜିଭାତ ସହ ସମସ୍ତ ପ୍ରସ୍ତୁତି କରାଯାଇଥିଲା।
ପ୍ରତ୍ୟେକ କନ୍ୟାଙ୍କୁ ୪୫ ହଜାର ଟଙ୍କା ସିଧାସଳଖ ଆକାଉଣ୍ଟକୁ ଦିଆଯାଉଥିବାବେଳେ, ବିବାହ ଆୟୋଜନ ପାଇଁ ଅତିରିକ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରୁଛି। ସେହିସହ ବିବାହ ପ୍ରମାଣପତ୍ର ଓ ଗଛର ଚାରା ଉପହାର ଦେଇ ନବଦମ୍ପତିଙ୍କୁ ସମ୍ମାନିତ କରାଯାଇଛି। ଏହି ସାମୂହିକ ବିବାହ ଉଦ୍ୟମ ଯୌତୁକ ପ୍ରଥା ପରି କୁସଂସ୍କାରକୁ ଦୂର କରି ସମାଜରେ ସମାନତା, ସମ୍ମାନ ଓ ସୁଖମୟ ଜୀବନର ସନ୍ଦେଶ ପ୍ରସାର କରୁଛି।