ନୂଆଦିଲ୍ଲୀ: ଏଣିକି ଖାଦ୍ୟରେ ବ୍ୟବହାର ହୋଇପାରିବ ନାହିଁ ଅଶ୍ୱଗନ୍ଧା ବା ୱିଥାନିଆ ସୋମନିଫେରା । ଏହାକୁ କୌଣସି ଉପାୟ ଯଥା ଅଶୋଧିତ କିମ୍ବା ନିଷ୍କାସନ କିମ୍ବା ଅନ୍ୟ କୌଣସି ରୂପରେ ବ୍ୟବହାର ନ କରିବାକୁ ଖାଦ୍ୟ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିର୍ଦ୍ଦେଶ ଦେଇଛି ।
ଏଫ୍ଏସ୍ଏସ୍ଏଆଇ କହିଛି ଯେ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ନିୟମାବଳୀ 2016 ଅନୁଯାୟୀ ସ୍ୱାସ୍ଥ୍ୟ ପରିପୂରକ, ନ୍ୟୁଟ୍ରାସ୍ୟୁଟିକାଲ୍ସ, ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ, ସ୍ୱତନ୍ତ୍ର ଚିକିତ୍ସା ଏବଂ ଖାଦ୍ୟ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ କରାଯାଇଛି । ଏହି ନିୟମାବଳୀର ଚତୁର୍ଥ ସୂଚୀରେ ଏପରି ଉତ୍ପାଦରେ ବ୍ୟବହାର ସାମଗ୍ରୀ ପାଇଁ ଅନୁପତିପ୍ରାପ୍ତ ବିଭିନ୍ନ ଉଦ୍ଭିଦ କିମ୍ବା ଉଦ୍ଭିଦ ଔଷଧର ତାଲିକା ରହିଛି । ତେଣୁ ଏହି ନିୟମ ଅନୁଯାୟୀ ଅଶ୍ୱଗନ୍ଧାର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । କେବଳ ଅଶ୍ୱଗନ୍ଧା (ୱିଥାନିଆ ସୋମନିଫେରା) ର ଚେର ଏବଂ ଚେରରୁ ବାହାରୁଥିବା ରସ ନିର୍ଦ୍ଧିଷ୍ଟ ବର୍ଗର ଉତ୍ପାଦରେ ବ୍ୟବହାର ପାଇଁ ଅନୁମତି ମିଳିଛି । ତାହା ପୁଣି ଏକ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ।
କିନ୍ତୁ ଏଫ୍ଏସ୍ଏସ୍ଏଆଇ ଏହା ଜାଣିବାକୁ ପାଇଛି ଯେ ଏହି ଉତ୍ପାଦଗୁଡ଼ିକର କିଛି ନିର୍ମାତା ସେମାନଙ୍କ ଉତ୍ପାଦରେ ଅଶ୍ୱଗନ୍ଧା ପତ୍ର ଏବଂ ସେଥିରୁ ବାହାରୁ ଥିବା ରସକୁ ବ୍ୟବହାର କରୁଛନ୍ତି। ତେଣୁ ଏଫ୍ଏସ୍ଏସ୍ଏଆଇ ଏହା ଉପରେ କଟକଣା ଜାରି କରିଛି । ଉକ୍ତ ନିୟମାବଳୀ ଅନୁଯାୟୀ ଅଶ୍ୱଗନ୍ଧା ପତ୍ରର ଅଶୋଧିତ ଅଂଶ କିମ୍ବା ସେଥିରୁ ବାହାରୁଥିବା ରସକୁ ଅନ୍ୟ କୌଣସି ରୂପରେ ବ୍ୟବହାର କରାଯାଇ ପାରିବ ନାହିଁ ।
ଆୟୁଷ ମନ୍ତ୍ରଣାଳୟ ଆୟୁଷ ଔଷଧ/ଉତ୍ପାଦ ନିର୍ମାତାମାନଙ୍କୁ କେବଳ ଅଶ୍ୱଗନ୍ଧା ଚେର ଏବଂ ଏହାର ରସ ବ୍ୟବହାର କରିବାକୁ ଅନୁମତି ଦେଇଥିବାବେଳେ ପତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିପରି ସମସ୍ତ ଖାଦ୍ୟ ବ୍ୟବସାୟ ପରିଚାଳକ (FBOs)ଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହାର ବ୍ୟବହାର ଉପରେ ଦୃଷ୍ଟି ଦେବାକୁ କହିଛି । ଯଦି କେହି ଏହି ନିର୍ଦ୍ଦେଶ ଅନୁପାଳନ କରିବାରେ ଖିଲାପ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ-