ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁଡ଼ିପାଜୁ ନବୋଦୟ ବିଦ୍ୟାଳୟରୁ ଜଣେ ନାବାଳକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରାବାସ ରୁମରେ ଲାଗିଥିବା ଫ୍ୟାନରେ ଛାତ୍ର ଜଣ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଛାତ୍ର ଜଣକ ହେଲେ ଫିରିଙ୍ଗିଆ ବ୍ଲକ୍ କୋଏରମାଣ୍ଡ ପଞ୍ଚାୟତ ତେତ୍ରିପଲ୍ଲା ଗ୍ରାମର ସୁରେଶ କହଁରଙ୍କ ପୁଅ ଗୋକୁଳ କହଁର । ସେ ନବୋଦୟର ଯୁକ୍ତ ଦୁଇର ପ୍ରଥମ ବର୍ଷ ଛାତ୍ର ଥିଲେ ।
ଆଜି ସକାଳୁ ଛାତ୍ରଙ୍କ ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏ ନେଇ ତୁରନ୍ତ ଅଭିଭାବକଙ୍କୁ ଖବର ଦେଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରଙ୍କ ବାପାଙ୍କ ଅଭିଯୋଗ ମୁତାବକ, ଗତକାଲି ଛାତ୍ର ଜଣକ ମୋବାଇଲ ଦେଖିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ତାଙ୍କୁ ତାଗିଦ କରିଥିଲେ । ହେଲେ ତାହା ସହି ନ ପାରି ସେ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି । ସେମାନେ ମୃତଦେହକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ଗ୍ରହଣ କରି ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୃତ ଛାତ୍ରର ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତଦନ୍ତରେ ଯଦି କାହାର ତ୍ରୁଟି ବାହାରେ ତେବେ ସେହି ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି ।