ମାଲକାନଗିରିରେ ଆସନ୍ତା ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି। ୨୨,୨୩, ୨୪ ଓ ୨୫ ତାରିଖରେ ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ହୋଇଛି। ହେଲେ ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ଅନ୍ୟ ବୋର୍ଡ ପରୀକ୍ଷା ଓ ଜନଗଣନା ମଧ୍ୟ ଚାଲିବ। ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସକାଳ ସାଢେ ୬ଟାରୁ ୧୦ଟା ୩୦ ଯାଏ ସ୍କୁଲ ଖୋଲା ରହିବ।
ସେହିପରି ଗଜପତି ଜିଲ୍ଲାରେ ସବୁ ସ୍କୁଲ୍ ଆସନ୍ତା ୩ ଦିନ ଛୁଟି ଘୋଷଣା ହୋଇଛି। ଆସନ୍ତାକାଲି ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରା ଓ ହିଟ୍ ୱେଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ ଦିନ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଯାଏ ସବୁ ସ୍କୁଲ ଛୁଟି ରହିବ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ଗତକାଲି ଗଞ୍ଜାମ ଜିଲା ପ୍ରଶାସନ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରିଛି। ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଜିଲ୍ଲା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ପାଣିପାଗ ରିପୋର୍ଟ ସମୀକ୍ଷା କରିଛନ୍ତି। ପ୍ରଶାସନ କହିଛି ଯେ, ଏହି ଅସ୍ଥାୟୀ ଛୁଟି ପିଲା ଏବଂ ଶିକ୍ଷକ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି।
ପ୍ରଚଣ୍ଡ ତାତିରେ ଏବେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ରାଜ୍ୟରେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି। ତାପମାତ୍ରା ବୃଦ୍ଧି ସହିତ ଗରମ ପବନ ଲୋକଙ୍କୁ କ୍ଲାନ୍ତ କରୁଛି। ପାଣିପାଗ ବିଭାଗ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିବ ବୋଲି ସତର୍କ କରିଛି। ବିଶେଷ କରି ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ କୌଣସି ଆଶ୍ଵସ୍ତି ମିଳିବା ନାହିଁ।