ଭଦ୍ରକ: କଟକ ପରେ ଏବେ ଭଦ୍ରକରୁ ନାବାଳକ ଉଦ୍ଧାର । ଭଦ୍ରକ ରେଳ ଷ୍ଟେସନରଶ ୧୩ ଜଣ ନାବାଳକ ପୁଣି ଉଦ୍ଧାର । ବିହାରରୁ ଯାଜପୁର ଆସୁଥିବା ଟ୍ରେନ୍ ରୁ ଭଦ୍ରକ ରେଳ ସୁରକ୍ଷା ବଳ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ହେଲ୍ପ ଲାଇନ୍ ସମସ୍ତଙ୍କୁ ଉଦ୍ଧାର କରିଛି । ସେମାନେ ମଦ୍ରାସାରେ ପଢ଼ିବାକୁ ଆସିଥିବା କହିଛନ୍ତି । ସମସ୍ତଙ୍କ ବୟସ ପ୍ରାୟ ୬ ରୁ ୧୬ ବର୍ଷ ହୋଇଥିବା ସୂଚନା ମିଳିଛି । ରେଳବାଇ ପୋଲିସ ସହାୟତା ରେ ଉଦ୍ଧାର କରାଯାଇଥିବା ୧୩ ଜଣ ନାବାଳକଙ୍କୁ ଜିଲ୍ଲା ସଂଯୋଜକ ଅଧିକାରୀ ଶୁଭଶ୍ରୀ ପଢ଼ିଆରୀ ପଚରାଉଚୁରା ଜାରି ରଖିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସପ୍ତାହରେ କଟକ ରେଳ ଷ୍ଟେସନ୍ରୁ ୫୯ ଜଣ ନାବାଳକ ଉଦ୍ଧାର ହୋଇଥିଲେ । ଗତ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ୍ କଟକ ଷ୍ଟେସନରେ ଲାଗିବା ପରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ୫୯ ଜଣ ନାବାଳକ ବାହାରିଥିଲେ । ଏତେ ସଂଖ୍ୟକ ନାବାଳକଙ୍କୁ ଆରପିଏଫ୍ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ଆର୍ପିଏଫ୍ କର୍ମଚାରୀ ସମସ୍ତ ପିଲାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରାରୁ ଜଣା ପଡିଥିଲା ଯେ ସମସ୍ତେ ବିହାର ଆରାରିଆ ଜିଲ୍ଲାର ଅଟନ୍ତି । ଏମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଥିବା କହିଥିଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ।
ଏହାପୂର୍ବରୁ ମଧ୍ୟ କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଆରପିଏଫର 'ଅପରେସନ୍ ନନ୍ହେ ଫରିସ୍ତେ' ଅଧୀନରେ ନାବାଳକମାନଙ୍କୁ ଉଦ୍ଧାର କରାଯାଇଥିଲା । ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ତାମିଲନାଡୁର ତିରୁଚିରାପାଲି ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ କଟକ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବାରେ ସମସ୍ତ ନାବାଳକ ସେଠାରେ ଓହ୍ଲାଇବା ସମୟରେ ଆରପିଏଫ୍ ଅଟକ ରଖିଥିଲା ।
ଏଠାରେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ନାବାଳକ ବିହାର ଛାଡ଼ି କଣ ପାଇଁ ଓଡ଼ିଶା ମଦ୍ରାସାରେ ପଢ଼ିବାକୁ ଆସିଛନ୍ତି । ଏଥିରେ କେଉଁମାନେ ସାମିଲ ରହିଛନ୍ତି ଏବଂ ଅନେକ ସମୟରେ ନାବାଳକଙ୍କ ବୈଧ ପ୍ରମାଣ ପତ୍ର ମଧ୍ୟ ମିଳୁ ନଥିବା ଦେଖାଯାଉଛି । ଏଥିପାଇଁ କିଏ ଦାୟୀ, କିଏ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ।