ଭୁବନେଶ୍ୱର: ପ୍ରକାଶ ପାଇଛି JEE ମେନ୍ ପରୀକ୍ଷାର ଫଳ। ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପ୍ରକାଶ ପାଇଛି ରେଜଲ୍ଟ। ଏଥର ଓଡ଼ିଶା ପାଇଁ ଆସିଛି ଗର୍ବର ଖବର, କାରଣ ସର୍ବ ଭାରତୀୟ ସ୍ତରରେ ୧୩ତମ ରାଙ୍କ ହାସଲ କରି ଭବେଶ ପାତ୍ର ଓଡ଼ିଶାର ଟପ୍ପର ହୋଇଛନ୍ତି। ଶତ ପ୍ରତିଶତ ମାର୍କ ସହ ତାଙ୍କ ଏହି ସଫଳତା ଛାତ୍ରଜୀବନରେ ଏକ ଉଲ୍ଲେଖନୀୟ ମାଇଲଷ୍ଟୋନ୍।
ଚଳିତବର୍ଷ ଜେଇଇ ମେନ୍ ସେସନ-2ରେ ୨୬ ଜଣ ୧୦୦ ପରସେଣ୍ଟାଲ୍ ରଖିଥିବା ବେଳେ, ଏଥିରେ ଓଡ଼ିଶାରୁ ଅଛନ୍ତି ଏକମାତ୍ର ଛାତ୍ର ଭବେଶ ପାତ୍ର। ସଫଳତାକୁ ନେଇ ଭବେଶ ପାତ୍ର କହିଛନ୍ତି,"ସଫଳତାର ଶ୍ରେୟ ମୁଁ ମୋ ପରିବାର ବର୍ଗ ଓ ଶିକ୍ଷକଙ୍କୁ ଦେବି। ସଫଳତା ପାଇବା ପାଇଁ ହେଲେ କୌଣସି ସଟ୍ କଟ୍ ଉପାୟ ନାହିଁ। ଯଦି କଠିନ ପରିଶ୍ରମ କରିବା, ସଫଳତା ନିଶ୍ଚିତ ପାଇବା। " ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯେତିକି ସମୟ ପାଠ ପଢ଼େ ମନ ଲଗାଇ ପଢ଼ିଥାଏ। ଏହା ସହିତ ଭଲ ଭାବେ ରିଭିଜନ ମଧ୍ୟ କରିଥାଏ"।
ଭବେଶଙ୍କ ସଫଳତା ପଛରେ ରହିଛି କଠିନ ପରିଶ୍ରମ। ସେ ଦିନକୁ ୮ରୁ ୧୦ ଘଣ୍ଟା ଅଧ୍ୟୟନ କରୁଥିବା କହିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ JEE ଏଡଭାନ୍ସରେ ଆହୁରି ଭଲ ପରିଣାମ ପାଇଁ ସେ ପ୍ରସ୍ତୁତି ଜାରି ରଖିଛନ୍ତି।
ଏହି ସଫଳତା ଯାତ୍ରାରେ ସକ୍ଷସିଂହ ପାତ୍ର AIR-225 ସହ ଓଡ଼ିଶାର ଦ୍ୱିତୀୟ ଟପ୍ପର ହୋଇଥିବା ବେଳେ, AIR-563 ସହ ଅର୍ୟସ୍ମନ୍ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଏପଟେ ଗତବର୍ଷ ମଧ୍ୟ ଓଡ଼ିଶା ଦେଖିଥିଲା ଏକ ଐତିହାସିକ ସଫଳତା। ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା JEE ମେନ୍ ୨୦୨୫ ଏପ୍ରିଲ ସେସନରେ ସର୍ବଭାରତୀୟ ଟପ୍ପର ହୋଇ ସାରା ଦେଶରେ ନିଜ ପରିଚୟ ସୃଷ୍ଟି କରିଥିଲେ। ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ଓମ୍ ପ୍ରକାଶଙ୍କ ସଫଳତା ଆଜି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ସ୍ରୋତ।
ଏବେ ଭବେଶଙ୍କ ଏହି ଉଜ୍ଜ୍ୱଳ ସଫଳତା ଓଡ଼ିଶାକୁ ପୁଣିଥରେ ଜାତୀୟ ସ୍ତରରେ ଗର୍ବିତ କରିଛି। ଲକ୍ଷ୍ୟ, ପରିଶ୍ରମ ଓ ଧୈର୍ଯ୍ୟ ଥିଲେ ସଫଳତା କେବେ ଦୂରେ ନୁହେଁ, ଏହାକୁ ପୁଣିଥରେ ସାବ୍ୟସ୍ତ କରିଦେଇଛନ୍ତି ଓଡ଼ିଶାର ଏହି ଯୁବ ପ୍ରତିଭାମାନେ।
ଅଧିକ ପଢନ୍ତୁ: ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ; ଡିଜିଲକର ଓ ଉମଙ୍ଗ ଆପ୍ରେ ରେଜଲ୍ଟ ଉପଲବ୍ଧ