କଟକ: ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଶେଷ ହେବାକୁ ଯାଉଛି। ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଖାତା ଦେଖା ପ୍ରକ୍ରିୟା। ମାର୍ଚ୍ଚ ୧୯ ରୁ ଆରମ୍ଭ ହୋଇଥିବା ଏହି ମୂଲ୍ୟାୟନ କାର୍ଯ୍ୟ ରାଜ୍ୟର ୩୦ଟି ଜିଲ୍ଲାର ୫୦ଟି କେନ୍ଦ୍ରରେ ଜୋରଦାର ଭାବେ ଚାଲିଥିଲା।
ପ୍ରାୟ ୧୫ ହଜାର ଶିକ୍ଷକ ଏହି ଖାତା ମୂଲ୍ୟାୟନରେ ନିୟୋଜିତ ଥିଲେ, ଯାହା ଆଜି ସମାପ୍ତ ହେବାକୁ ଯାଉଛି। ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିଛି। ମେ’ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ଘୋଷଣା କରାଯିବ। ଏନେଇ ଗୁରୁବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍। ବୋର୍ଡ ସଭାପତିଙ୍କ ସୂଚନା ଅନୁଯାୟୀ, ସମୟସୀମା ମଧ୍ୟରେ ସମସ୍ତ ଖାତା ଦେଖା ସାରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା।ଯାହାଙ୍କର ପେପର୍ ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିଲା। ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖାଯାଇଥିଲା। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଯାଇଥିଲା। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ମାଟ୍ରିକ୍ ପରୀକ୍ଷାର ଖାତା ସରିବ ବୋଲି କହିଛନ୍ତି ବୋର୍ଡ ସଭାପତି।
ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩, ୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ପାଖାପାଖି ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇ ବୋର୍ଡ ପକ୍ଷରୁ ଯୋଜନା ରହିଥିଲା। ବିଶେଷ କଥା ହେଲା, ଏଥର ଫଳ ପ୍ରକାଶ ହେବ ସହିତ ସର୍ଟିଫିକେଟ୍ ମଧ୍ୟ ତୁରନ୍ତ ମିଳିବ।