ନୂଆଦିଲ୍ଲୀ: ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ଆଗାମୀ ଏସିଆନ୍ ଗେମ୍ସ ୨୦୨୬ (Asian Games 2026) ରୁ ବାଦ୍ ପଡ଼ିଛନ୍ତି ଭିନେଶ । ଦିଲ୍ଲୀରେ ଚାଲିଥିବା ଚୟନ ପ୍ରକ୍ରିୟା (ଟ୍ରାଏଲ୍ସ)ର ସେମିଫାଇନାଲ୍ରେ ପରାଜୟ ସହ ତାଙ୍କର ଏସିଆନ୍ ଗେମ୍ସ ଖେଳିବା ସ୍ୱପ୍ନ ଧୂଳିସାତ ହୋଇଯାଇଛି। ଦୀର୍ଘ ୮ ବର୍ଷ ପରେ ଏହି ମେଗା ଇଭେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସେ ଲକ୍ଷ୍ୟ ରଖିଥିଲେ। ଏହି ବଡ଼ ବିପର୍ଯ୍ୟୟ ପରେ ଏବେ ବିନେଶଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର କୋହଭରା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି।
ସେମିଫାଇନାଲ୍ରେ ମୀନାକ୍ଷୀଙ୍କଠାରୁ ପରାଜିତ
ଟ୍ରାଏଲ୍ସର ୫୩ କିଲୋଗ୍ରାମ ବର୍ଗରେ ଭାଗ ନେଇଥିବା ବିନେଶଙ୍କୁ ସେମିଫାଇନାଲ୍ ମ୍ୟାଚ୍ରେ ଶକ୍ତ ଧକ୍କା ଲାଗିଛି। ଏକ ରୋମାଞ୍ଚକର ମୁକାବିଲାରେ ମୀନାକ୍ଷୀ ଗୋୟତଙ୍କ ହାତରୁ ସେ ୪-୬ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଫଳରେ ଏସିଆନ୍ ଗେମ୍ସ ଟିକେଟ୍ରୁ ସେ ବଞ୍ଚିତ ହୋଇଛନ୍ତି।
ତେବେ ଏହି ପରାଜୟ ପରେ ନିଜ ମନର କୋହ ପ୍ରକାଶ କରି ଭିନେଶ କହିଛନ୍ତି, ମୁଁ ମ୍ୟାଚ୍ ହାରିଥାଇପାରେ, କିନ୍ତୁ ଜୀବନରେ ଫେଲ୍ ହୋଇନାହିଁ। ମୁଁ କେବଳ ମ୍ୟାଟ୍ ଉପରେ ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଲଢ଼ୁନଥିଲି, ବରଂ ଏକ ସମ୍ପୂର୍ଣ୍ଣ ସିଷ୍ଟମ ବିରୋଧରେ ଲଢ଼େଇ କରୁଥିଲି। ସେଠାରେ ମୁଁ ଏକାକୀ ଛିଡ଼ା ହୋଇଥିଲି ଏବଂ ବାକି ସମସ୍ତେ ମୋ ବିପକ୍ଷରେ ଥିଲେ।
ବିବାଦ ଘେରରେ ଥିଲା ଓଜନ ବର୍ଗ ଚୟନ
ଏହି ଟ୍ରାଏଲ୍ସ ପୂର୍ବରୁ ଭାରତୀୟ କୁସ୍ତି ସଂଘ (WFI) ସହିତ ଭିନେଶର ଟକ୍କର ଦେଖିବାକୁ ମିଳିଥିଲା। ପୂର୍ବରୁ ଗତ ୪ଟି ଆନ୍ତର୍ଜାତୀୟ ପ୍ରଦର୍ଶନକୁ ଆଧାର କରି ତାଙ୍କୁ କେବଳ ୫୦ କିଲୋଗ୍ରାମ ବର୍ଗରେ ଲଢ଼ିବାକୁ କୁହାଯାଇଥିଲା। କିନ୍ତୁ ଭିନେଶ ଏହାକୁ ବିରୋଧ କରି କୁସ୍ତି ସଂଘ ଉପରେ ପାତରଅନ୍ତରର ଅଭିଯୋଗ ଆଣିଥିଲେ। ମାମଲା ବଢ଼ିବା ପରେ ସଂଘ ସଭାପତି ସଞ୍ଜୟ ସିଂହଙ୍କ ହସ୍ତକ୍ଷେପ ଯୋଗୁଁ ଶେଷରେ ତାଙ୍କୁ ୫୩ କିଲୋଗ୍ରାମ ବର୍ଗରେ ଖେଳିବାକୁ ଅନୁମତି ମିଳିଥିଲା। ଭିନେଶ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପ୍ରତିଟି ପଏଣ୍ଟ ପାଇଁ ସଂଘର୍ଷ କରିବାକୁ ପଡ଼ିଛି ଏବଂ ସେ ଉଚିତ ନ୍ୟାୟ ପାଇନାହାନ୍ତି।
ଏସିଆନ୍ ଗେମ୍ସରେ ଭିନେଶଙ୍କ ଦମଦାର ଟ୍ରାକ୍ ରେକର୍ଡ
ବିନେଶ ଫୋଗାଟ୍ ପୂର୍ବରୁ ଏସିଆନ୍ ଗେମ୍ସରେ ଦୁଇ ଦୁଇଟି ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି:
୨୦୧୪ ଇଞ୍ଚିଅନ୍ ଗେମ୍ସ: ୪୮ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ।
୨୦୧୮ ଜକାର୍ତ୍ତା ଗେମ୍ସ: ୫୦ କିଲୋଗ୍ରାମ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏସିଆନ୍ ଗେମ୍ସ ୨୦୨୬ର ଆୟୋଜନ ଜାପାନରେ ହେବାକୁ ଯାଉଛି। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା କ୍ରୀଡ଼ା ମହାକୁମ୍ଭରେ କ୍ରିକେଟ୍ ସମେତ ୪୩ଟି ଭିନ୍ନ ଭିନ୍ନ ଖେଳ ପ୍ରଦର୍ଶିତ ହେବ। କିନ୍ତୁ ଭାରତର ଏହି ଷ୍ଟାର୍ ମହିଳା ରେସଲର୍ଙ୍କ ଅନୁପସ୍ଥିତି ପ୍ରଶଂସକଙ୍କୁ ନିଶ୍ଚିତ ଭାବେ ନିରାଶ କରିବ।