ନୂଆଦିଲ୍ଲୀ: ଆଇପିଏଲ୍ 2026 ମହାସମର ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ସିଜନର ଫାଇନାଲ୍ରେ କିଏ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସହ ମୁହାଁମୁହିଁ ହେବ, ତାହା ଉପରୁ ଖୁବ୍ଶୀଘ୍ର ପରଦା ହଟିବ। ଫାଇନାଲ୍ର ଦ୍ୱିତୀୟ ଦଳ ଭାବେ ନିଜ ସ୍ଥାନ ପକ୍କା କରିବା ପାଇଁ ଶୁକ୍ରବାର ଦେଖିବାକୁ ମିଳିବ ଏକ ହାଇଭୋଲ୍ଟେଜ୍ ଲଢ଼େଇ। ଦ୍ଵିତୀୟ କ୍ଵାଲିଫାୟର୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR)। ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ, ସେ ସିଧାସଳଖ ଫାଇନାଲ୍କୁ ଯିବ ଏବଂ ପରାଜିତ ଦଳର ଚଳିତ ଆଇପିଏଲ୍ ଅଭିଯାନ ଏହିଠାରେ ହିଁ ଶେଷ ହୋଇଯିବ।
କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ବର୍ଷା ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବାତିଲ୍ ହୋଇଯାଏ, ତେବେ କେଉଁ ଦଳ ଫାଇନାଲ୍ ଖେଳିବ? ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି, ତେବେ ଏହାର ଉତ୍ତର ହେଉଛି ‘ଗୁଜରାଟ ଟାଇଟନ୍ସ’।
ବର୍ଷା ହେଲେ ଆଇପିଏଲ୍ର ନିୟମ କ’ଣ କହୁଛି?
ଆସନ୍ତା ରବିବାର ଆଇପିଏଲ୍-୨୦୨୬ର ଗ୍ରାଣ୍ଡ ଫାଇନାଲ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ମଇର ୨୯ ଗୁଜରାଟ ଏବଂ ରାଜସ୍ଥାନ ମଧ୍ୟରେ କ୍ଵାଲିଫାୟର୍-୨ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ୍ ହୁଏ, ତେବେ ଏଥିପାଇଁ କୌଣସି ‘ରିଜର୍ଭ ଡେ’ ରଖାଯାଇ ନାହିଁ। ଏଭଳି ପରିସ୍ଥିତିରେ ଆଇପିଏଲ୍ର ସ୍ୱତନ୍ତ୍ର ନିୟମ ଆଧାରରେ ବିଜେତା ସ୍ଥିର କରାଯିବ।
ମ୍ୟାଚ୍ ଦିନ ଯଦି ବର୍ଷା ଯୋଗୁଁ ଗୋଟିଏ ବି ଓଭରର ଖେଳ ସମ୍ଭବ ନହୁଏ, ତେବେ ଅମ୍ପାୟାରମାନେ ପ୍ରଥମେ ଏକ ‘ସୁପର ଓଭର’ ଜରିଆରେ ମ୍ୟାଚ୍ର ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ। କିନ୍ତୁ ଯଦି ସ୍ଥିତି ଏପରି ହୁଏ ଯେ ସୁପର ଓଭର ମଧ୍ୟ କରାଯାଇପାରିବ ନାହିଁ, ତେବେ ଲିଗ୍ ପର୍ଯ୍ୟାୟର ପଏଣ୍ଟ ଟେବୁଲ୍ ଆଧାରରେ ଫାଇନାଲିଷ୍ଟ ଚୟନ କରାଯିବ।
ଚଳିତ ସିଜନର ପଏଣ୍ଟ ଟେବୁଲ୍କୁ ଦେଖିଲେ, ଲିଗ୍ ମ୍ୟାଚ୍ ଶେଷ ସୁଦ୍ଧା ଗୁଜରାଟ ଟାଇଟନ୍ସ ଦ୍ଵିତୀୟ ସ୍ଥାନରେ ଥିବାବେଳେ ରାଜସ୍ଥାନ ରୟାଲ୍ସ ଚତୁର୍ଥ ସ୍ଥାନରେ ରହିଥିଲା। ତେଣୁ ନିୟମ ଅନୁସାରେ ଟେବୁଲ୍ର ଶୀର୍ଷରେ ଥିବା ଗୁଜରାଟ ଦଳକୁ ଫାଇନାଲ୍ ଖେଳିବାର ସୁଯୋଗ ମିଳିବ।
ମ୍ୟାଚ୍ ଦିନ ପାଣିପାଗ କେମିତି ରହିବ?
ତେବେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମ୍ୟାଚ୍ ଉପରେ ବର୍ଷାର କୌଣସି ବଡ଼ ସଙ୍କଟ ନାହିଁ। ଗୁରୁବାର ଠାରୁ ଶୁକ୍ରବାର ସକାଳ ମଧ୍ୟରେ ଚଣ୍ଡୀଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି, ଯାହା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।