କନ୍ଧମାଳ ଜିଲ୍ଲାରେ ଗୁରୁବାର ଏକ ବଡ଼ ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରିଛି ପୋଲିସ। ଉଦୟପୁର ଛକ ନିକଟରେ ସନ୍ଦେହଜନକ ଭାବେ ଅଟକ ରଖାଯାଇଥିବା ଏକ କୋଇଲା ବୋଝେଇ ଟ୍ରକ୍ରୁ ବହୁ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଚୋରାଚାଲାଣକାରୀମାନେ ପୋଲିସ ଆଖିରେ ଧୂଳି ଦେବା ପାଇଁ କୋଇଲା ତଳେ ଗଞ୍ଜେଇ ଲୁଚାଇ ରଖିଥିଲେ।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ନମ୍ବର ବିଶିଷ୍ଟ MP-09-HH-4878 ଟ୍ରକ୍ଟି ଫୁଲବାଣୀ ପଟୁ କୋଇଲା ନେଇ ଯାଉଥିଲା। ଟ୍ରକ୍ଟିର ଗତିବିଧି ସନ୍ଦେହଜନକ ଲାଗିବାରୁ ପୋଲିସ ଏହାକୁ ଅଟକ ରଖିଥିଲା। ପ୍ରାଥମିକ ଯାଞ୍ଚରେ କିଛି ସନ୍ଦେହଜନକ ବସ୍ତୁ ନମିଳିବାରୁ ପୋଲିସ ଅଧିକ ତନାଘନା ଆରମ୍ଭ କରିଥିଲା।
ପରେ ଏକ ଜେସିବି ମେସିନ୍ ସହାୟତାରେ ଟ୍ରକ୍ରୁ କୋଇଲା ଖାଲି କରାଯାଇଥିଲା। କୋଇଲା ହଟିବା ପରେ ସମସ୍ତଙ୍କୁ ଚକିତ କରି ଭିତରୁ ବାହାରିଥିଲା ଗଞ୍ଜେଇର ଅନେକ ପ୍ୟାକେଟ୍। ତଦନ୍ତକାରୀମାନଙ୍କ କହିବା ଅନୁସାରେ, ଗଞ୍ଜେଇ ଉପରେ କୋଇଲାର ମୋଟା ସ୍ତର ଢାଙ୍କି ଦିଆଯାଇଥିଲା, ଯାହାଦ୍ୱାରା ଚେକିଂ ବେଳେ କାହାର ସନ୍ଦେହ ହେବ ନାହିଁ।
ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଜବତ ପ୍ରକ୍ରିୟା ଚାଲିଥିଲା ଏବଂ ପୋଲିସ ଅଧିକ ଗଞ୍ଜେଇ ବାହାର କରିବା ପାଇଁ ମେସିନ୍ର ସହାୟତା ନେଇଥିଲା। ଏହି ଘଟଣା ଚୋରାଚାଲାଣକାରୀମାନଙ୍କ ନୂଆ କୌଶଳକୁ ସାମ୍ନାକୁ ଆଣିଛି।
ଜବତ ଗଞ୍ଜେଇର ପରିମାଣ ଓ ମୂଲ୍ୟ ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ, ତେବେ ଏହା କେଉଁଠିକୁ ଯାଉଥିଲା ଏବଂ ଏଥିରେ ସମ୍ପୃକ୍ତ ଚୋରାଚାଲାଣ ଚକ୍ରକୁ ଠାବ କରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି।