କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆଜି (ଗୁରୁବାର) କାଗଜ କାରଖାନା ପୁନରୁଦ୍ଧାର ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଜୟପୁର ଆକ୍ସନ କମିଟିର ଡାକରାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦରେ ସହରର ଜନଜୀବନ ପ୍ରାୟ ଠପ୍ ହୋଇଯାଇଥିଲା।
ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା।
ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି କାଗଜ କାରଖାନା ବନ୍ଦ ରହିବା ଫଳରେ ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ପରିବାର ଗୁରୁତର ଆର୍ଥିକ ସଙ୍କଟରେ ରହିଛନ୍ତି। ବହୁ କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କ ବକେୟା ଦରମା ଓ ପ୍ରାପ୍ୟ ପାଇନାହାନ୍ତି। ଏହି କାରଖାନା କେବଳ ଜୟପୁର ନୁହେଁ, ସମଗ୍ର କୋରାପୁଟ ଅଞ୍ଚଳର ଅର୍ଥନୀତି ସହ ଜଡିତ ଥିବାରୁ ଏହାର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ ବୋଲି ସେମାନେ କହିଛନ୍ତି।
ବନ୍ଦକୁ ବିଜୁ ଜନତା ଦଳ ସମେତ ବିଭିନ୍ନ ସାମାଜିକ ଓ ବ୍ୟବସାୟିକ ସଂଗଠନ ସମର୍ଥନ କରିଛନ୍ତି। ତେବେ ବନ୍ଦ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଏବଂ ପରୀକ୍ଷାର୍ଥୀଙ୍କ ଯାନବାହନକୁ ଛାଡ଼ ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଚାଲିଥିବା ବେଳେ କାଗଜ କାରଖାନା ପୁନରୁଦ୍ଧାର ଦାବି ଏବେ ପୁଣିଥରେ ଜୋର ଧରିଛି।