ପୁରୀ ଶ୍ରୀମନ୍ଦିରରେ ପୁଣିଥରେ ପହୁଡ଼ ନୀତି ବିଳମ୍ବିତ ହେବାରୁ ସାରା ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ। ଚଳିତ ଭିତର ଚନ୍ଦନ ଯାତ୍ରା ସମୟରେ ଏହା ତୃତୀୟ ଘଟଣା ହୋଇଥିବାବେଳେ, ମନ୍ଦିର ନୀତିକାନ୍ତିରେ ବାରମ୍ବାର ବିଳମ୍ବକୁ ନେଇ ଭକ୍ତ ଓ ସେବାୟତ ମହଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗତକାଲି ମଳମାସ ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଥିଲା। ଦିନସାରା ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହେବା ପରେ ବଡ଼ସିଂହାର ବେଶ ଶେଷ ହେବାବେଳକୁ ଭୋର ୪ଟା ୫୫ ମିନିଟ୍ ହୋଇଯାଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ପହୁଡ଼ ନୀତି ସମ୍ପନ୍ନ ହୋଇପାରିନଥିଲା ଏବଂ ମହାପ୍ରଭୁ ସାରା ରାତି ଅନିଦ୍ରା ରହିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୧୬ ମେ ସାବିତ୍ରୀ ଅମାବାସ୍ୟା ଓ ପରବର୍ତ୍ତୀ ବନକଲାଗି ନୀତି ଦିନରେ ମଧ୍ୟ ପହୁଡ଼ ନୀତି ହୋଇନଥିଲା। ମାତ୍ର ଦୁଇ ସପ୍ତାହ ମଧ୍ୟରେ ତିନିଥର ଏପରି ଘଟଣା ଘଟିବା ନେଇ ଭକ୍ତମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଭିତର ଚନ୍ଦନ ଯାତ୍ରା ସମୟରେ ପ୍ରାୟ ପ୍ରତିଦିନ ଭୋର ୩ରୁ ୪ଟା ମଧ୍ୟରେ ପହୁଡ଼ ନୀତି ହେଉଥିବାରୁ ନୀତି ପରିଚାଳନା ଓ ସମୟାନୁବର୍ତ୍ତିତାକୁ ନେଇ ପ୍ରଶ୍ନ ଉଠିଛି। ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି।