ଆଜି ପବିତ୍ର ଇଦ୍-ଉଲ୍-ଜୁହା ବା ବକ୍ରିଦ୍ ଅବସରରେ ସାରା ଦେଶ ସହ ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମରେ ଉତ୍ସାହ ଓ ଧାର୍ମିକ ଭାବନାର ପରିବେଶ ଦେଖିବାକୁ ମିଳିଛି। ତ୍ୟାଗ, ସମର୍ପଣ ଓ ଭାଇଚାରାର ଏହି ମହାନ ପର୍ବକୁ ମୁସଲିମ ସମ୍ପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରୁଛନ୍ତି।
ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ମସଜିଦ ଓ ଇଦଗାହ ପଡ଼ିଆରେ ସାମୂହିକ ନମାଜ ପାଠ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନୂତନ ବସ୍ତ୍ର ପରିଧାନ କରି ମୁସଲିମ ଭାଇମାନେ ନମାଜ ଆଦାୟ କରିବା ସହ ପରସ୍ପରକୁ “ଇଦ୍ ମୁବାରକ” ଜଣାଇଥିଲେ। ପ୍ରାର୍ଥନାରେ ଦେଶର ଶାନ୍ତି, ସମୃଦ୍ଧି ଓ ସାମ୍ପ୍ରଦାୟିକ ସଦ୍ଭାବନା କାମନା କରାଯାଇଥିଲା।
ଭାଇଚାରାର ସହର କଟକରେ ମଧ୍ୟ ଇଦ୍-ଉଲ୍-ଜୁହା ପାଳନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା। ଦରଘାବଜାର ଛୋଟି ମସଜିଦରେ ସକାଳ ୭ଟାରେ ପ୍ରଥମ ସାମୂହିକ ନମାଜ ପାଠ ଅନୁଷ୍ଠିତ ହୋଇଥିଲା। ସେହିପରି କଦମ-ଇ-ରସୁଲ ମସଜିଦରେ ସକାଳ ୮ଟା ଓ ୯ଟାରେ ଦୁଇ ପର୍ଯ୍ୟାୟରେ ନମାଜ ପାଠ କରାଯାଇଥିଲା। ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସହରର ସମ୍ବେଦନଶୀଳ ଅଞ୍ଚଳ ଓ ପ୍ରମୁଖ ମସଜିଦ ନିକଟରେ ସଶସ୍ତ୍ର ପୋଲିସ ନଜରଦାରୀ ଜୋରଦାର କରାଯାଇଥିଲା।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ମଧ୍ୟ ଇଦ୍-ଉଲ୍-ଜୁହା ବେଶ୍ ଉତ୍ସାହର ସହ ପାଳନ କରାଯାଇଥିଲା। ଇଦଗାହ ପଡ଼ିଆ ଓ ବିଭିନ୍ନ ମସଜିଦରେ ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପାଠ କରିଥିଲେ। ନମାଜ ଶେଷରେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନର ଆସର ଜମିଛି।