ଭୁବନେଶ୍ୱର: ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଟ୍ୱିନ୍ ସିଟିବାସୀଙ୍କ ପାଇଁ କାଳବୈଶାଖୀ ବର୍ଷା ଆଣିଛି ବଡ଼ ଆଶ୍ଵସ୍ତି। ଆଜି (ବୁଧବାର) ସନ୍ଧ୍ୟାରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଛାଇଯିବା ସହ କଟକ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। କେତେକ ଅଞ୍ଚଳରେ ଝଟକା ପବନ ମଧ୍ୟ ବହିଥିବାରୁ ପାଗରେ ଆସିଛି ବଡ଼ ପରିବର୍ତ୍ତନ।
ଏହାରି ମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରାଯାଇଛି। ଆଗାମୀ ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା, ପାଗର ପରିବର୍ତ୍ତନ ଉପରେ ନଜର ରଖିବା ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି। ତେବେ ହଠାତ୍ ବର୍ଷାରେ ରାଜଧାନୀ ଓ ରୌପ୍ୟନଗରୀର ପାଗ ଶୀତଳ ହୋଇଥିବାବେଳେ ଗ୍ରୀଷ୍ମ ପ୍ରକୋପରୁ ଲୋକମାନେ ସାମୟିକ ରାହାତ୍ ପାଇଛନ୍ତି।