ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ପତ୍ରପାଲି ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ସକାଳର ନିତିଦିନିଆ ରୋଷେଇ କାମ ମୁହୂର୍ତ୍ତକ ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣାରେ ପରିଣତ ହୋଇଯାଇଥିଲା। ଗ୍ୟାସ ଟାଙ୍କିରୁ ଲିକ୍ ହୋଇଥିବା ଗ୍ୟାସରେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ଏକ ପରିବାରର ସବୁକିଛି ମୁହୂର୍ତ୍ତରେ ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୮ଟା ୨୦ ମିନିଟ୍ରେ ବୈଜୟନ୍ତୀ ସାନାନି ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ଟାଙ୍କିରୁ ଲିକ୍ ହୋଇ ହଠାତ୍ ନିଆଁ ବାହାରିଥିଲା। କିଛି ସେକେଣ୍ଡ ମଧ୍ୟରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁର ଶିଖା ସମଗ୍ର ଘରକୁ କବଳିତ କରିଦେଇଥିଲା। ଘର ଭିତରେ ଫସି ରହିଥିବା ବୈଜୟନ୍ତୀଙ୍କ ଜୀବନ ସେତେବେଳେ ବିପଦରେ ପଡ଼ିଥିଲା।
ତେବେ ଏହି ସମୟରେ ପାଖରେ ଥିବା ଜଣେ ସାହସୀ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଘର ଭିତରକୁ ପଶିଥିଲେ। ସେ ବୈଜୟନ୍ତୀଙ୍କୁ ନିଆଁ ମଧ୍ୟରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ବୈଜୟନ୍ତୀ ସାନାନି ଓ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସାନାନିଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଥିଲା।
ଘରର ସମସ୍ତ ଆସବାବପତ୍ର, ଦରକାରୀ କାଗଜପତ୍ର ଓ ଜୀବିକାର ସାଧନ ନଷ୍ଟ ହୋଇଯାଇଥିବାରୁ ଗରିବ ପରିବାରଟି ଏବେ ବାସହରା ହୋଇପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।