କେନ୍ଦୁଝର: ସୁଧୁରୁ ନାହାଁନ୍ତି ସରକାରୀ ବାବୁ । ଆଜି ପୁଣି ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏସିଏସ୍ଓ ଧୁମରାମ ମୁର୍ମୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଚମ୍ପୁଆ ଏସିଏସ୍ଓ ଧୁମରାମ ମୁର୍ମୁ ଜଣେ ଲାମ୍ପ୍ସ ଇନଚାର୍ଜ (ଅଭିଯୋଗକାରୀ)ଙ୍କ ଠାରୁ ୧୫୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଧାନ ସଂଗ୍ରହରେ ଏସିଏସ୍ଓ ମୁର୍ମୁ ଲାମ୍ପ୍ସ ଅଧିକାରୀଙ୍କୁ ଲାଞ୍ଚ ମାଗିଥିଲେ । ସେ ପୂର୍ବରୁ ମଧ୍ୟ ଅନ୍ୟ ଧାନ ସଂଗ୍ରହ କେନ୍ଦ୍ରର ଲାମ୍ପ୍ସ ଅଧିକାରୀଙ୍କୁ ଲାଞ୍ଚ ମାଗିଥିଲେ । ତେବେ ଏ ନେଇ ଲାମ୍ପ୍ସ ଇନଚାର୍ଜ ଭିଜିଲାନ୍ସକୁ ଜଣାଇଥିଲେ ।
ଏହା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇ ଥିଲା । ଆଜି ତାଙ୍କ ନିକଟରୁ ୧୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ପରେ ତାଙ୍କ ବାସଭବନ ଏବଂ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି ।