ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଅପେକ୍ଷାରତ ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ସ୍ନାତକ (ଯୁକ୍ତ ତିନି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ (ବୁଧବାରଠାରୁ) ଅନ୍ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସୂଚୀ ଅନୁଯାୟୀ, ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।
ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୧୭ରେ ପ୍ରକାଶ ପାଇବ। ଏହାପରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁନ୍ ୧୭ରୁ ୨୦ ମଧ୍ୟରେ ଅନ୍ଲାଇନରେ ନାମଲେଖା ଫି ଦାଖଲ କରିବେ ଏବଂ ସ୍ଲାଇଡ୍, ଫ୍ରିଜ୍ କିମ୍ବା ଫ୍ଲୋଟ୍ ବିକଳ୍ପ ବାଛିପାରିବେ। ପ୍ରଥମ ପର୍ଯ୍ୟାୟର ନାମଲେଖା ଜୁନ୍ ୧୮ରୁ ୨୦ ମଧ୍ୟରେ ସମ୍ପନ୍ନ ହେବ।
ସୂଚୀ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୯ରେ ପ୍ରକାଶିତ ହେବ। ଚୟନ ହୋଇଥିବା ଆବେଦକମାନେ ଜୁନ୍ ୨୯ରୁ ଜୁଲାଇ ୪ ମଧ୍ୟରେ ଅନ୍ଲାଇନ ଫି ଦାଖଲ କରିବେ ଏବଂ ଜୁନ୍ ୩୦ରୁ ଜୁଲାଇ ୪ ମଧ୍ୟରେ ସଂପୃକ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ନାମଲେଖାଇବେ।
ଯେଉଁ ଛାତ୍ରଛାତ୍ରୀମାନେ ମେଧା ତାଲିକାରେ ସ୍ଥାନ ପାଇବେ ନାହିଁ, ସେମାନଙ୍କ ପାଇଁ ୱେଟିଂ ଓ ସ୍ପଟ ଆଡମିଶନ୍ର ସୁଯୋଗ ମଧ୍ୟ ରହିଛି। ଏହି ପାଇଁ ଜୁଲାଇ ୮ରୁ ୧୦ ମଧ୍ୟରେ ଆବେଦନ କରିହେବ ଏବଂ ଚୟନ ହୋଇଥିବା ପ୍ରାର୍ଥୀମାନେ ଜୁଲାଇ ୧୭ରେ ନାମଲେଖାଇବେ।
ସବୁଠାରୁ ବଡ଼ କଥା ହେଉଛି, ନୂଆ ଶିକ୍ଷାବର୍ଷର ପାଠପଢ଼ା ଜୁଲାଇ ୯ ତାରିଖରୁ ଆରମ୍ଭ ହେବ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି।