ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ଆନ୍ତର୍ଜାତୀୟ ବିମାନରେ ବଡ଼ଧରଣର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ବିମାନଟି ଦିଲ୍ଲୀରୁ ଉଡ଼ାଣ ଭରିବା ପରେ ପ୍ରାୟ ୮ ଘଣ୍ଟା କାଳ ଆକାଶରେ ହିଁ ରହିଥିଲା। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପାଇଲଟ୍ ବିମାନକୁ ଆଗକୁ ନନେଇ ପୁଣି ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଫେରାଇ ଆଣିଛନ୍ତି। ଏହି ବିମାନରେ ପ୍ରାୟ ୨୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆର ପ୍ରବକ୍ତା ଏହି ଘଟଣାର ସତ୍ୟତା ସ୍ୱୀକାର କରିଛନ୍ତି।
ସୁରକ୍ଷା ପାଇଁ ନିଆଗଲା ନିଷ୍ପତ୍ତି
ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବୟାନ ଅନୁଯାୟୀ, ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଯାଉଥିବା ଫ୍ଲାଇଟ୍ ନମ୍ବର AI173 ରେ କିଛି ଯାନ୍ତ୍ରିକ ତ୍ରୁଟି ନଜରକୁ ଆସିଥିଲା। ଏହାପରେ ନିର୍ଦ୍ଧାରିତ ସୁରକ୍ଷା ନିୟମକୁ ପାଳନ କରି ବିମାନକୁ ମଝି ଆକାଶରୁ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନଟି ସଫଳତାର ସହ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ବର୍ତ୍ତମାନ ଇଞ୍ଜିନିୟରିଂ ଟିମ୍ ବିମାନର ଯାନ୍ତ୍ରିକ ଯାଞ୍ଚ କରୁଛନ୍ତି। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାରଲାଇନ୍ସ କ୍ଷମା ପ୍ରାର୍ଥନା କରିଛି।
ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା
ଏୟାର ଇଣ୍ଡିଆର ସୂଚନା ଆମ ପାଇଁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଛି। ଏହା ସହିତ ବିମାନବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ପାଇଁ ହୋଟେଲ ରହିବା ସୁବିଧା, ଖାଦ୍ୟପେୟ (ରିଫ୍ରେଶମେଣ୍ଟ) ଏବଂ ଟିକେଟ୍ ରୀ-ସେଡ୍ୟୁଲିଂ ଭଳି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଏୟାରଲାଇନ୍ସ ପକ୍ଷରୁ ଯୋଗାଇ ଦିଆଯାଉଛି।