ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ବୁଧବାର ମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନଙ୍କ ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, SIR ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ଏବଂ ନିର୍ବାଚନ କମିଶନ ନିଜ ସୀମା ଭିତରେ ରହି ହିଁ କାର୍ଯ୍ୟ କରିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇ କହିଛନ୍ତି ଯେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅସାମ୍ବିଧାନିକ କୁହାଯାଇପାରିବ ନାହିଁ।
ଇସିଆଇଙ୍କ ନିଷ୍ପତ୍ତି କାଏମ ରଖିଲେ ସର୍ବୋଚ୍ଚ କୋର୍ଟ
ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଭୋଟର ତାଲିକାର 'ବିଶେଷ ଗହନ ପୁନରୀକ୍ଷଣ' (SIR) ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଅଦାଲତଙ୍କ କହିବା ଅନୁଯାୟୀ, କେବଳ ସାଧାରଣ ସଂଶୋଧନ ପ୍ରକ୍ରିୟା ଠାରୁ ଏହା ଭିନ୍ନ ବୋଲି ଦର୍ଶାଇ ଏହାକୁ ବେଆଇନ ଘୋଷଣା କରାଯାଇପାରିବ ନାହିଁ। SIR ହେଉଛି ଏକ ସମ୍ପୂର୍ଣ୍ଣ ବୈଧ ଏବଂ ସାମ୍ବିଧାନିକ ବ୍ୟବସ୍ଥା। ଏହା ଆଇନଗତ ଭାବେ ସିଦ୍ଧ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।
ଭୋଟର ତାଲିକାରୁ ନାମ କାଟିବା ନିୟମ ବିରୋଧୀ ନୁହେଁ
ଶୁଣାଣି ସମୟରେ ମାନ୍ୟବର କୋର୍ଟ କହିଛନ୍ତି, SIR ଅଧୀନରେ ନିର୍ବାଚନ କମିଶନଙ୍କ ଦ୍ୱାରା ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ସେହି ସମୟର ଆବଶ୍ୟକତା ଥିଲା। ନିଜର ପରିଚୟ ପ୍ରମାଣିତ କରିବାର ସମ୍ପୂର୍ଣ୍ଣ ବୋଝ ଭୋଟରଙ୍କ ଉପରେ ଲଦି ଦିଆଯାଇଥିବା ଯେଉଁ ଯୁକ୍ତି ବାଢ଼ାଯାଇଥିଲା, ତାହାକୁ ଆମେ ଗ୍ରହଣ କରୁନାହୁଁ।
କୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ନିଜର ପୁରୁଣା ବାସସ୍ଥାନ ଛାଡ଼ି ଅନ୍ୟତ୍ର ରହୁଛନ୍ତି, ତେବେ ମଧ୍ୟ ସେ ପୁରୁଣା ପ୍ରକ୍ରିୟାରୁ ବାଦ୍ ପଡ଼ିବେ ନାହିଁ। ତାଙ୍କର କିମ୍ବା ତାଙ୍କ ପରିବାରର ନାମ ସେଠାରେ ରହିବ। ତେଣୁ SIR ମାଧ୍ୟମରେ କାହାର ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାକୁ ନିୟମ ଉଲ୍ଲଂଘନ ବୋଲି କୁହାଯାଇପାରିବ ନାହିଁ।
ନାଗରିକତା ନିର୍ଦ୍ଧାରଣ କରୁନାହାନ୍ତି ନିର୍ବାଚନ କମିଶନ
ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ କମିଶନ ଦସ୍ତାବେଜଗୁଡ଼ିକର ସତ୍ୟତା ଆଧାରରେ ହିଁ ଭୋଟର ତାଲିକାରେ ସ୍ଥାନ ଦେଇଛନ୍ତି। ଏହାକୁ କୌଣସି ପକ୍ଷପାତିତା ବା ମନମୁଖୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇପାରିବ ନାହିଁ। SIR ର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ନୁହେଁ।
ସମ୍ବିଧାନ ଓ ଆରପି ଆକ୍ଟ ଆଧାରରେ ପ୍ରକ୍ରିୟା ସଠିକ୍
କୋର୍ଟ ନିଜ ନିଷ୍କର୍ଷରେ କହିଛନ୍ତି ଯେ, ଏହି 'ବିଶେଷ ଗହନ ପୁନରୀକ୍ଷଣ' (SIR) ଭାରତୀୟ ସମ୍ବିଧାନ ଏବଂ ଆରପି ଆକ୍ଟ (RP Act) ର ନିୟମାବଳୀ ଅନୁଯାୟୀ ସମ୍ପୂର୍ଣ୍ଣ ଯୋଗ୍ୟ। ଏହା ଏକ ବ୍ୟାପକ ପ୍ରକ୍ରିୟା ହୋଇଥିବାରୁ ଏହାର ନୀତି ଓ ନିୟମ ସ୍ଥିର କରିବାର ପୂର୍ଣ୍ଣ ଅଧିକାର ନିର୍ବାଚନ କମିଶନଙ୍କ ପାଖରେ ରହିଛି।