ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଗତ ତିନି ଦିନ ମଧ୍ୟରେ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଯାଞ୍ଚ ଅଭିଯାନରେ ୪,୬୧୧ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି। ଏହାସହ ୮ଟି ଗାଡ଼ି ଜବତ ହୋଇଥିବା ବେଳେ ୯୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।
ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଦ୍ରୁତ ଗତିରେ ଗାଡ଼ି ଚଳାଇବା ଏବଂ ବିନା ହେଲମେଟ୍ରେ ଯାତାୟାତ ଏବେ ମଧ୍ୟ ସବୁଠାରୁ ବଡ଼ ସମସ୍ୟା ହୋଇ ରହିଛି। ମାତ୍ର ୩ ଦିନରେ ଓଭର ସ୍ପିଡିଂ ପାଇଁ ୧,୨୮୯ଟି ଏବଂ ବିନା ହେଲମେଟ୍ରେ ଗାଡ଼ି ଚାଳନା ପାଇଁ ୧,୨୧୯ଟି ଚାଲାଣ ଜାରି ହୋଇଛି। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୯୫ ଜଣ ଏବଂ ବେଆଇନ ପାର୍କିଂ ପାଇଁ ୧୪୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଚାଲାଣ ସଂଖ୍ୟାରେ କଟକ ଆରଟିଓ ସବୁଠାରୁ ଆଗରେ ରହି ୩୪୯ଟି ଇ-ଚାଲାଣ ଜାରି କରିଛି। ଏହା ପଛକୁ ଭୁବନେଶ୍ୱର-୧, ବାଲେଶ୍ୱର, ଝାରସୁଗୁଡ଼ା ଓ ପୁରୀ ଆରଟିଓ ରହିଛନ୍ତି।
ଜରିମାନା ଆଦାୟରେ ଖୋର୍ଦ୍ଧା ଏଆରଟିଓ ୭.୮୬ ଲକ୍ଷ ଟଙ୍କା ସଂଗ୍ରହ କରି ସର୍ବାଗ୍ରେ ରହିଛି। ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ସଡ଼କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏଭଳି କଡ଼ା ଯାଞ୍ଚ ଓ ଇ-ଚାଲାଣ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ତେଣୁ ନିୟମ ମାନନ୍ତୁ, ନଚେତ୍ ଜରିମାନା ପାଇଁ ପ୍ରସ୍ତୁତ ରୁହନ୍ତୁ।