ଭୁବନେଶ୍ୱର: ତେଲ ଦର ବୃଦ୍ଧି ପରେ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ହୋଇଥିବାବେଳେ କିଛି ସ୍ଥାନରେ ଯାତ୍ରୀଙ୍କଠାରୁ ଧାର୍ଯ୍ୟ ହାରଠାରୁ ଅଧିକ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟ ସରକାର କଡ଼ା ମନୋଭାବ ପୋଷଣ କରିଥିବାବେଳେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ସରକାରଙ୍କ ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଆଦାୟ କରାଗଲେ ସମ୍ପୃକ୍ତ ବସ୍ ମାଲିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା ଆକ୍ସନ୍ ନିଆଯିବ।
ମନ୍ତ୍ରୀ କହିଛନ୍ତି ଯେ, ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର କେବଳ ୨ ପ୍ରତିଶତ ବସ୍ ଭଡ଼ା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ତେଣୁ ଏହାଠାରୁ ଅଧିକ ଭଡ଼ା ନେବା ପାଇଁ କୌଣସି ବସ୍ ମାଲିକ କିମ୍ବା କର୍ମଚାରୀଙ୍କୁ ଅନୁମତି ନାହିଁ। ବିଭାଗ ପକ୍ଷରୁ ସମସ୍ତ ରୁଟ୍ରେ ନଜରଦାରି ବଢ଼ାଯାଇଛି ଏବଂ ଅଭିଯୋଗ ମିଳିଲେ ତୁରନ୍ତ ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ସେ ଆହୁରି କହିଛନ୍ତି ଯେ, ଯାତ୍ରୀମାନେ ସଚେତନ ରହିବା ଆବଶ୍ୟକ। କୌଣସି ବସ୍ରେ ଅଧିକ ଭଡ଼ା ଦାବି କରାଗଲେ ସେଥିପାଇଁ ପ୍ରମାଣ ସଂଗ୍ରହ କରି ପରିବହନ ବିଭାଗକୁ ଅବଗତ କରିପାରିବେ। ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବା ସହ ଯାତ୍ରୀଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଦୋହରାଇଛନ୍ତି। ବସ୍ ଭଡ଼ାକୁ ନେଇ ଅନିୟମ ବରଦାସ୍ତ କରାଯିବ ନାହିଁ ବୋଲି ସେ କଡ଼ା ବାର୍ତ୍ତା ଦେଇଛନ୍ତି।