ଭୁବନେଶ୍ୱର: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଦରମା, ଭତ୍ତା ଓ ପେନସନର ପରବର୍ତ୍ତୀ ସଂଶୋଧନ ପାଇଁ ଗଠିତ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ (8th CPC) ଆସନ୍ତା ଜୁଲାଇ ୬ ଓ ୭ ତାରିଖରେ ଭୁବନେଶ୍ୱର ଗସ୍ତ କରିବ। ଏହି ଦୁଇଦିନିଆ ଗସ୍ତ ସମୟରେ କମିଶନ ବିଭିନ୍ନ ସଂଗଠନ, କର୍ମଚାରୀ ସଂଘ ଓ ପେନସନର୍ସ ଆସୋସିଏସନ୍ ସହ ସିଧାସଳଖ ଆଲୋଚନା କରିବ।
ମଙ୍ଗଳବାର ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, କମିଶନ ସହ ଭେଟିବାକୁ ଇଚ୍ଛୁକ ସଂଗଠନ ଓ ସଂଘଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଆବେଦନ ସହିତ ସ୍ମାରକପତ୍ର ଦାଖଲ ପରେ ମିଳୁଥିବା ‘ୟୁନିକ୍ ମେମୋ ଆଇଡି’ ଦେବା ଅନିବାର୍ଯ୍ୟ ରହିଛି।
କମିଶନ ସ୍ପଷ୍ଟ କରିଛି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ସଂସ୍ଥା ଏବଂ କର୍ମଚାରୀ ସଂଘମାନେ ନିଜ ଦାବି ଓ ପ୍ରସ୍ତାବ ସିଧାସଳଖ ଭାବେ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଏହା ମାଧ୍ୟମରେ ଓଡ଼ିଶାର କର୍ମଚାରୀଙ୍କ ସ୍ଥାନୀୟ ସମସ୍ୟା, ଭତ୍ତା ସମ୍ବନ୍ଧୀୟ ଦାବି ଏବଂ ପେନସନ ଜନିତ ଅସୁବିଧାଗୁଡ଼ିକୁ କମିଶନଙ୍କ ସମ୍ମୁଖରେ ରଖାଯାଇପାରିବ।
ସୂଚନା ଅନୁସାରେ, କମିଶନଙ୍କ ୱେବସାଇଟ୍ରେ ସ୍ମାରକପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୩୧, ୨୦୨୬। ସେହିପରି ଭୁବନେଶ୍ୱରରେ କମିଶନଙ୍କ ସହ ଆଲୋଚନା ପାଇଁ ନିଯୁକ୍ତି ଆବେଦନ ଜୁନ୍ ୧୫ ସୁଦ୍ଧା କରିବାକୁ ହେବ। ବୈଠକର ସ୍ଥାନ ଓ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।
ଲକ୍ଷାଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଭବିଷ୍ୟତ ଆର୍ଥିକ ସୁବିଧା ସହ ଜଡ଼ିତ ଏହି ଗସ୍ତକୁ ନେଇ ରାଜ୍ୟର ବିଭିନ୍ନ କର୍ମଚାରୀ ସଂଗଠନ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନେକଙ୍କ ଆଶା, ଏହି ବୈଠକ ମାଧ୍ୟମରେ ଦୀର୍ଘଦିନର ଦାବି ଓ ସମସ୍ୟାର ସମାଧାନ ଦିଗରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।