ପଟ୍ଟାମୁଣ୍ଡାଇ: ଥମୁନି ପୋଲିସର ବର୍ବରତା । ବାରଙ୍ଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ବିରୁଦ୍ଧରେ ଆସିଛି ସମାନ ଅଭିଯୋଗ । ଅଭିଯୋଗ କରିବାକୁ ଆସିଲେ ଓଲଟା ମାଡ଼ ଖାଉଛନ୍ତି ଅଭିଯୋଗକାରୀ ,। ମା ଏବଂ ପୁଅକୁ ଅର୍ଦ୍ଧଲଗ୍ନ କରି ପାଇଖାନା ଭିତରେ ପୋଲିସ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ମାଆ ପୁଅ ହେଲେ ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ (୫୮) ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ । ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନଷ୍ଟେବଳଙ୍କ ନାଁରେ ଉଭୟ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖରେ ସ୍ୱାମୀ ପବନ ମଣ୍ଡଳ ଏବଂ ତାଙ୍କ ପରିବାର ହଇରାଣ ହରକତ କରୁଥିବା ନେଇ ସନ୍ଧ୍ୟା ପ୍ରାୟ ୬ଟାରେ ଅନ୍ନପୂର୍ଣ୍ଣା ଏବଂ ପୁଅ ଅନନ୍ତ ତାଳଚୁଆ ସାମୁଦ୍ରିକ ଥାନାକୁ ଯାଇଥିଲେ । କିନ୍ତୁ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ରଖିବା ବଦଳରେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅନ୍ନପୂର୍ଣ୍ଣାଙ୍କୁ ଚୁଟି ଘୋଷାଡ଼ି ଅର୍ଦ୍ଧଲଗ୍ନ କରି ମାଡ଼ ମାରିଥିଲେ। ରାତି ପ୍ରାୟ ୧୨ଟା ଥାନାରେ ଦିଆଯାଇଥିଲା ଥାର୍ଡ ଡିଗ୍ରୀ । ଖାଲି ସେତିକି ନୁହେଁ ଅନନ୍ତଙ୍କୁ ଥାନାରେ ଥିବା ପାଇଖାନା ଭିତରେ ଆଇଆଇସି ମାଡାମ୍ ଓ ଅନ୍ୟ ଜଣେ କନଷ୍ଟେବଳ ନିସ୍ତୁକ ମାଡ଼ ମାରିଥିଲେ। ଏହା ସହିତ ଏହି କଥା କାହାକୁ ନ କହିବାକୁ ଧମକ ଦେଇଥିଲେ ।
ଏ ନେଇ ଅନ୍ନପୂର୍ଣ୍ଣା ଏବଂ ଅନନ୍ତ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଫେରାଦ ଦେଇଛନ୍ତି । ଉଭୟ ଆଇଆଇସି ଏବଂ ହାବିଲଦାରଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏସଡିପିଓ ସୁକାନ୍ତ କୁମାର ପାତ୍ର ଏ ସମ୍ପର୍କରେ ଏସପିଙ୍କୁ ଅବଗତ କରିବା ସହିତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବାରଙ୍ଗ ଥାନା ଅଧିନସ୍ଥ ଚଣ୍ଡିପ୍ରସାଦ ଗ୍ରାମର ରାକେଶ ବେହେରାଙ୍କ ପତ୍ନୀ ରଶ୍ମିତା ବେହେରା ନିଖୋଜ ଥିବାରି ସେ ଅଭିଯୋଗ କରିବାକୁ ଆସିଥିଲେ । ଏ ନେଇ ରାକେଶ ବାରଙ୍ଗ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି ଖୋଜ ଖବର ନେଇନଥିଲା । କାଠଯୋଡ଼ି ନଦୀ ପଠାରେ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରି ରାକେଶଙ୍କୁ ଚିହ୍ନଟ କରିବାକୁ କହିଥିଲା ପୋଲିସ । କିନ୍ତୁ ଉକ୍ତ ମୃତ ମହିଳା ତାଙ୍କ ପତ୍ନୀ ନୁହଁନ୍ତି ବୋଲି ରାକେଶ କହିଥିଲେ । ମୃତ ଦେହକୁ ଗ୍ରହଣ କରିବାକୁ ପୋଲିସ ଚାପ ପକାଇଥିଲା । ଏହା ସହିତ ରାକେଶଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।