ଭୁବନେଶ୍ୱର ; ରାଜ୍ୟରେ ଏବେ ଅନବରତ ଅନୁଭୂତ ହେଉଛି ତାତି। ଫଳରେ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡିଛି। ଡହଡହ ତାତି ସବୁ ଆଡେ ଖାଁ ଖାଁ ଦେଖା ଯାଉଛି। ଦିନ ପରେ ଦିନ ଗଡୁଛି କିନ୍ତୁ ତାତିରେ ଲାଗୁନି ବ୍ରେକ। ସକାଳ ୮ ଟାରୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଯେପରି ଅସ୍ତବ୍ୟସ୍ତ କରିଦେଲାଣି ଜୀବନ। ବଢୁଥିବା ତାତିରୁ ଅଂଶୁଘାତ ସମସ୍ୟା ମଧ୍ୟ ବଢୁଛି। ରାଜ୍ୟରେ ଏ ଯାଏଁ ୫ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହେଲାଣି। ଅନେକ ମଧ୍ୟ ଅଂଶୁଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ବିଶେଷ ଭାବରେ ଯେଉଁମାନେ ଅଂଶୁଘାତର ଶିକାର ହୋଇଥାଆନ୍ତି ସେମାନଙ୍କ ପାଖରେ ଜ୍ୱର, ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ। ଜଳବାୟୁରେ ଅଧିକ ଉତ୍ତାପ ହେତୁ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ଚର୍ମ ଶୁଷ୍କତା, ଶରୀରରୁ ଝାଳ ନିର୍ଗତ ନ ହେବା କିମ୍ବା ଅଳ୍ପ ନିର୍ଗତ ହେବା, ରକ୍ତଚାପ କମ ହେବା, ହୃଦସ୍ପନ୍ଦନ ମାତ୍ରା ବଢିବା, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା ଦେଖାଯିବା, ପରିସ୍ରା ହଳଦିଆ ରଙ୍ଗର ହେବା ସହ ପରିସ୍ରାରୁ ଦୁର୍ଗନ୍ଧ ବାହାରିବା। ଶରୀରର ମାଂସପେଶୀ ଦୁର୍ବଳ ହୋଇ ଯନ୍ତ୍ରଣା ଦାୟକ ହେବା, ଆଳସ୍ୟ ତଥା ଦୁର୍ବଳ ଲାଗିବା, ମୁଣ୍ଡବ୍ୟଥା ହେବା, ବାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ। ତେବେ ଅଂଶୁଘାତକୁ ଦୃଷ୍ଟିରେ ରଖି, ଯଦି ଆପଣ ଅଂଶୁଘାତର ଶିକାର ହେଉଛନ୍ତି ତେବେ ଆପଣଙ୍କୁ କ’ଣ କରିବା ଉଚିତ୍, ଏହା ସହିତ ଏହାକୁ କିପରି ରୋକା ଯାଇପାରିବ ସେ ନେଇ ଆସନ୍ତୁ ଜାଣିବା।
ଲେମ୍ବୁ ପାଣି:
ମୁଣ୍ଡ ବୁଲାଉଥିଲେ କିମ୍ବା ହାଲିଆ ଲାଗୁଥିଲେ। ପ୍ରଥମେ ଗୋଟେ ଗ୍ଲାସ ଥଣ୍ଡା ପାଣିରେ ୨ରୁ ୩ ଚାମଚ ଲେମ୍ବୁ ରସ ଏବଂ ଚିମୁଟାଏ ଲୁଣ ମିଶାଇ ସଙ୍ଗେ ସଙ୍ଗେ ପିଇ ନିଅନ୍ତୁ। ଦେଖିବା କିଛି ସମୟ ଭିତରେ ମୁଣ୍ଡ ବୁଲାଇବା ଏବଂ ହାଲିଆ ଲାଗିବା କମ ହୋଇଯିବ। କାରଣ ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ ଯାହା ଶରୀରର ତରଳ ସ୍ତରକୁ ପୂରଣ କରିବାରେ ସାହାଯ୍ୟ କରେ ଏବଂ ଶକ୍ତି ପୁନଃସ୍ଥାପିତ କରେ।
ଦହିପଣା :
ଯଦି ଅତ୍ୟଧିକ ଗରମ ହେତୁ ବାନ୍ତି ହେଉଛି। ତେବେ ଗୋଟେ କପ ବସା ଦହିକୁ ଭଲ ଭାବରେ ଘାଣ୍ଟି ତାକୁ ଅଧା ଗ୍ଲାସ ପାଣିରେ ମିଶାଇ ଦିଅନ୍ତୁ। ଏହାପରେ ସେଥିରେ ଅଧା ଚାମଚ ସୈନ୍ଧବ ଲୁଣ ଏବଂ ଏକ ଚାମଚ ଚିନି ମିଶାଇ ତାହାର ଏକ ଘୋଳ ପ୍ରସ୍ତୁତ କରି ତାକୁ ତୁରନ୍ତ ସେବନ କରନ୍ତୁ ଦେଖିବେ କିଛି ସମୟରେ ମଧ୍ୟରେ ବାନ୍ତି ସମୟ ଦୂର ହୋଇଯିବ।
ତରଭୁଜ:
ଅଂଶୁଘାତରେ ପୀଡିତ ହେଲେ ତରଭୁଜ ନିଶ୍ଚିତ ଖାଆନ୍ତୁ। ତରଭୁଜ ଖାଇବା ଦ୍ବାରା ଶରୀରକୁ ରିଲାକ୍ସ ଲାଗିଥାଏ ଏବଂ ଶୀତଳ ପ୍ରଭାବ ପ୍ରଦାନ କରେ। ଅଂଶୁଘାତରେ ପୀଡିତଙ୍କ ଦେହରୁ ଅତ୍ୟଧିକ ଝାଳ, ଶରୀରରେ ଲୁଣ ସ୍ତର ହ୍ରାସ ପାଇଥାଏ। ତେଣୁ ତରଭୁଜରେ ତରଳ ପଦାର୍ଥ ଅଧିକ ପରିମାଣରେ ରହିଥିବା ହେତୁ ଏହା ଅଂଶୁଘାତ ପୀଡିତଙ୍କ ପାଇଁ ଖୁବ ଲାଭଦାୟକ।