ଭୁବନେଶ୍ୱର: ରାଜ୍ୟସଭାରେ ଖାଲି ହୋଇଥିବା ଗୋଟିଏ ଓଡ଼ିଶା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଉପ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଇସିଆଇଙ୍କ ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜୁନ ୧ ତାରିଖରେ ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ଜୁନ୍ ୧୧ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଥିବାବେଳେ ଜୁନ୍ ୧୮ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବେ । ସେହିଦିନ ସନ୍ଧ୍ୟା ୫ଟା ମତଦାନ ଗଣତି ହେବ ।
ନିକଟରେ ପୂର୍ବତନ ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଏହା ପରେ ଏହି ଆସନଟି ଖାଲି ପଡ଼ିଛି । ଦେବାଶିଷଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜ୍ୟସଭାରେ ବିଜେଡ଼ିର ସଂଖ୍ୟା 5କୁ ଖସି ଆସିଛି । ଏବେ ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ସଂତୃପ୍ତ ମିଶ୍ର, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର ଅଛନ୍ତି ।
ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ହିଁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବ । ତେବେ ଅତୀତରେ ସୁଜିତ କୁମାର ଓ ମମତା ମହନ୍ତଙ୍କ ସୂତ୍ର ବିଜେପି ଆପଣାଇ ପାରେ ବୋଲି ଚର୍ଚ୍ଚା ହେଉଛି । ସୁଜିତ କୁମାର ଏବଂ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଥିଲେ । ଆଉ ବିଜେପି ସେହି ଦୁଇ ଜଣଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲା । ତେଣୁ ସେହି ଦୃଷ୍ଟିକୋଣରୁ ପୁଣି ସମାନ ଫର୍ମୁଲା ବିଜେପି ପ୍ରୟୋଗ କରିବା ନେଇ ଅଧିକ ସମ୍ଭାବନା ରହିଛି ।