ରାଜସ୍ଥାନ ହାଇକୋର୍ଟ ନାବାଳିକା ଯୌନ ନିର୍ଯାତନା ମାମଲାରେ ଆସାରାମ ବାପୁଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। ତଳ ଅଦାଲତ ଦ୍ୱାରା ଦିଆଯାଇଥିବା ଆଜୀବନ କାରାଦଣ୍ଡ ସଜାକୁ କୋର୍ଟ କାଏମ ରଖିଛନ୍ତି। ଏଥିସହ ବର୍ତ୍ତମାନ ଜାମିନରେ ବାହାରେ ଥିବା ଆସାରାମଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଜୀବନ କାରାଦଣ୍ଡ ସଜା କାଟୁଥିବା ଆସାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ଆଶ୍ୱସ୍ତି ଦେବାକୁ ମନା କରିଛନ୍ତି। କୋର୍ଟ ଆସାରାମଙ୍କ ଆଜୀବନ ଜେଲ୍ ସଜାକୁ କାଏମ ରଖିଛନ୍ତି। ଜଷ୍ଟିସ୍ ଅରୁଣ ମୋଙ୍ଗା ଏବଂ ଜଷ୍ଟିସ୍ ଯୋଗେନ୍ଦ୍ର କୁମାର ପୁରୋହିତଙ୍କ ଡିଭିଜନ ବେଞ୍ଚ ଆଜି ବୁଧବାର, ୨୭ ମଇ ଏହି ରାୟ ଶୁଣାଇଛନ୍ତି।
ହାଇକୋର୍ଟଙ୍କ ଯୋଧପୁର ବେଞ୍ଚର ଡିଭିଜନ ବେଞ୍ଚ ଏହି ବଡ଼ ଫେସଲା ଶୁଣାଇବା ସହ ତଳ ଅଦାଲତର ସଜାକୁ କାଏମ ରଖିଛନ୍ତି। ବର୍ତ୍ତମାନ ପାରୋଲ୍ରେ ବାହାରେ ଥିବା ଆସାରାମଙ୍କୁ କୋର୍ଟ ତୁରନ୍ତ ସରେଣ୍ଡର କରିବାକୁ ଆଦେଶ ଜାରି କରିଛନ୍ତି। ଆସାରାମ ଅନ୍ତରୀଣ ଜାମିନରେ ଥିଲେ, କିନ୍ତୁ ଏବେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହେବ। ମାତ୍ର ଦୁଇ ଦିନ ପୂର୍ବରୁ ହିଁ ତାଙ୍କ ଜାମିନ ଅବଧିକୁ ୭ ଜୁଲାଇ ପର୍ଯ୍ୟନ୍ତ ବଢ଼ାଯାଇଥିଲା।
ଶିଳ୍ପୀ ଏବଂ ଶରତଚନ୍ଦ୍ରଙ୍କୁ ସଜାରୁ ମୁକ୍ତି
କୋର୍ଟ ଆସାରାମଙ୍କ ସମେତ ତିନି ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି। ଏହି ସମୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନାବାଳିକା ପୀଡ଼ିତାଙ୍କ ସହ ଦୁଷ୍କର୍ମ ମାମଲାରେ ତଳ ଅଦାଲତ ଶୁଣାଇଥିବା ଆଜୀବନ କାରାଦଣ୍ଡ ସଜାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ତେବେ ଏହି ମାମଲାରେ ସହ-ଅଭିଯୁକ୍ତ ଥିବା ଶିଳ୍ପୀ ଏବଂ ଶରତଚନ୍ଦ୍ରଙ୍କୁ ସଜାରୁ ଆଶ୍ୱସ୍ତି ମିଳିଛି। କୋର୍ଟ ଦୁହିଁଙ୍କୁ ଦୋଷମୁକ୍ତ କରିଛନ୍ତି।
ଦୁଷ୍କର୍ମ ମାମଲାରେ ଆସାରାମ ଗିରଫ
ଅଗଷ୍ଟ ୨୦୧୩ରେ ଯୋଧପୁର ସ୍ଥିତ ଆଶ୍ରମରେ ଜଣେ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଆସାରାମଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ଶୁଣାଣି ପରେ ଯୋଧପୁରର ସ୍ପେଶାଲ ପୋକ୍ସୋ କୋର୍ଟ ୨୫ ଅପ୍ରେଲ ୨୦୧୮ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏହି ମାମଲାରେ ସହ-ଅଭିଯୁକ୍ତ ଶରତ ଏବଂ ଶିଳ୍ପୀଙ୍କୁ ୨୦-୨୦ ବର୍ଷର ସଜା ମିଳିଥିଲା। ଟ୍ରାଏଲ୍ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସବୁ ଅଭିଯୁକ୍ତ ରାଜସ୍ଥାନ ହାଇକୋର୍ଟରେ ଅପିଲ୍ ଦାୟର କରିଥିଲେ।
ହାଇକୋର୍ଟରେ ୧୬ ଫେବୃଆରୀରୁ ୨୦ ଅପ୍ରେଲ ୨୦୨ ପର୍ଯ୍ୟନ୍ତ ପ୍ରତିଦିନ ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ ସପକ୍ଷ ଓ ବିପକ୍ଷ ଦଳ ନିଜ ନିଜର ବିସ୍ତୃତ ଯୁକ୍ତି ଉପସ୍ଥାପନ କରିଥିଲେ। ବେଞ୍ଚ ୨୦ ଅପ୍ରେଲରେ ନିଜ ରାୟ ସଂରକ୍ଷିତ ରଖିଥିଲେ ଏବଂ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।
କ’ଣ ଥିଲା ସମ୍ପୂର୍ଣ୍ଣ ମାମଲା?
ପ୍ରକୃତରେ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଜଣେ ନାବାଳିକା ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ନାବାଳିକାଙ୍କ କହିବା ଅନୁଯାୟୀ, ଧାର୍ମିକ ଚିକିତ୍ସା ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ ବାହାନାରେ ତାଙ୍କୁ ଆଶ୍ରମକୁ ଡକାଯାଇଥିଲା, ଯେଉଁଠି ତାଙ୍କ ସହ ଯୌନ ନିର୍ଯାତନା ଓ ଦୁଷ୍କର୍ମ କରାଯାଇଥିଲା। ପୋଲିସ ତଦନ୍ତ, ମେଡିକାଲ ରିପୋର୍ଟ, ସାକ୍ଷୀଙ୍କ ବୟାନ ଏବଂ ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ଟ୍ରାଏଲ୍ କୋର୍ଟ ଆସାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବର୍ତ୍ତମାନ ଆସାରାମ ପାରୋଲ୍ରେ ଜେଲ୍ ବାହାରେ ଅଛନ୍ତି।