ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନର ମିଳିତ ବିବୃତିରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠିବା ପରେ ଭାରତ ଏହାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏବେ ଚୀନ ଗସ୍ତରେ ଅଛନ୍ତି। ମଙ୍ଗଳବାର ଜାରି ହୋଇଥିବା ଏକ ମିଳିତ ବିବୃତିରେ କୁହାଯାଇଥିଲା ଯେ, 'ପାକିସ୍ତାନ ଚୀନକୁ ଜାମ୍ମୁ ଓ କାଶ୍ମୀରର ସାମ୍ପ୍ରତିକ ସ୍ଥିତି ବିଷୟରେ ଜଣାଇଛି। ଏହା ଉପରେ ଚୀନ କହିଛି ଯେ ଏହି ବିବାଦଟି ବହୁ ପୁରୁଣା ଏବଂ ଏହାର ସମାଧାନ ମିଳିତ ଜାତିସଂଘର ଚାର୍ଟର, ସୁରକ୍ଷା ପରିଷଦର ପ୍ରସ୍ତାବ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ କରାଯିବା ଉଚିତ।'
ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ଭାରତର ବୈଦେଶିକ ମନ୍ତ୍ରାଳୟ ଏହାର ଜବାବ ଦେଇ କହିଛି, 'ଜାମ୍ମୁ-କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅଟୁଟ ଅଂଶ ଅଟେ ଏବଂ ସଦାସର୍ବଦା ରହିବ। ଏହା ଉପରେ ମନ୍ତବ୍ୟ ଦେବାର କୌଣସି ଅନ୍ୟ ଦେଶର ଅଧିକାର ନାହିଁ। ଚୀନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମିଳିତ ବିବୃତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଏହି ଅନାବଶ୍ୟକ ଉଲ୍ଲେଖକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି।'
CPEC ପ୍ରକଳ୍ପକୁ ଭାରତର ଦୃଢ଼ ବିରୋଧ
ଏହା ସହିତ ଭାରତ ଚୀନ-ପାକିସ୍ତାନ ଅର୍ଥନୈତିକ ଗଳିଆରା (CPEC) ପ୍ରକଳ୍ପକୁ ମଧ୍ୟ ତୀବ୍ର ବିରୋଧ କରିଛି। ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, 'ଏହି ପ୍ରକଳ୍ପର କେତେକ ଅଂଶ ଭାରତର ସାର୍ବଭୌମ ଅଞ୍ଚଳ (ପାକିସ୍ତାନ ଅଧିକୃତ କାଶ୍ମୀର) ଦେଇ ଗତି କରୁଛି। ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଅବୈଧ ଏବଂ ଜବରଦସ୍ତ ଦଖଲକୁ ବୈଧ କରିବା ପାଇଁ ହେଉଥିବା ଯେକୌଣସି ପ୍ରୟାସକୁ ଭାରତ କଦାପି ଗ୍ରହଣ କରିବ ନାହିଁ, କାରଣ ଏହା ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ସେଧାସଳଖ ଉଲ୍ଲଂଘନ ଅଟେ।'
Also Read: କର୍ଣ୍ଣାଟକ ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କି ସିଦ୍ଧରମୈୟା ? ଡିକେ ଶିବକୁମାରଙ୍କୁ ମିଳିବ ଦାୟିତ୍ଵ