ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ରେ ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜଲୱା ଦେଖିବାକୁ ମିଳିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ଗତଥରର ଚାମ୍ପିୟନ ଆରସିବି ଏକତରଫା ଭାବେ ଗୁଜରାଟ ଟାଇଟନ୍ସକୁ ୯୨ ରନ୍ର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ଦମଦାର ବିଜୟ ସହ ବେଙ୍ଗାଲୁରୁ ପଞ୍ଚମ ଥର ପାଇଁ ଆଇପିଏଲ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରମାନଙ୍କ ଘାତକ ବୋଲିଂ ବଳରେ ଦଳ କ୍ରମାଗତ ଦ୍ୱିତୀୟ ଥର ଟ୍ରଫି ଜିତିବା ଆଡ଼କୁ ମଜଭୁତ ପାଦ ବଢ଼ାଇଛି।
ପାଟିଦାରଙ୍କ ଧମାକା, ୩୩ ବଲ୍ରେ ୯୩ ରନ୍
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୪ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଅଧିନାୟକ ରଜତ ପାଟିଦାର ଅଧିନାୟକତ୍ୱ ପାଳି ଖେଳି ମାତ୍ର ୩୩ଟି ବଲ୍ରୁ ୯ଟି ଚୌକା ଓ ୫ଟି ଛକା ସହାୟତାରେ ୯୩ ରନ୍ର ଏକ ଅପରାଜିତ ବିସ୍ଫୋରକ ଇନିଂସ ଖେଳିଥିଲେ। ମ୍ୟାଚ୍ ମଝିରେ କିଛି ଜୀବନଦାନ ପାଇବା ପରେ ପାଟିଦାର ଗୁଜରାଟ ବୋଲରମାନଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ତାଙ୍କ ବ୍ୟତୀତ ଅଭିଜ୍ଞ ବିରାଟ କୋହଲି ଏବଂ କୃଣାଲ ପାଣ୍ଡ୍ୟା ମଧ୍ୟ ଦଳ ପାଇଁ ୪୩-୪୩ ରନ୍ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।
ବିପର୍ଯ୍ୟୟର ସମ୍ମୁଖୀନ ହେଲା ଗୁଜରାଟ
୨୫୫ ରନ୍ର ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ହିଁ ଚାପର ବଶବର୍ତ୍ତୀ ହୋଇ ପ୍ରଦର୍ଶନ କରିଥିଲା। ଦଳ ପାୱାରପ୍ଲେ (ପ୍ରଥମ ୬ ଓଭର) ମଧ୍ୟରେ ହିଁ ନିଜର ୫ଟି ପ୍ରମୁଖ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା, ଯାହାଫଳରେ ଆରସିବିର ବିଜୟ ପ୍ରାୟ ସୁନିଶ୍ଚିତ ହୋଇଯାଇଥିଲା।ସାଈ ସୁଦର୍ଶନ (୧୪ ରନ୍)ପ୍ରଥମ ଓଭରରେ ଦୁଇଟି ଚୌକା ମାରି ଭଲ ଆରମ୍ଭ କରିଥିଲେ ସୁଦ୍ଧା ଦ୍ୱିତୀୟ ଓଭରରେ ଅଜବ ଭାବେ 'ହିଟ୍ ୱିକେଟ୍' ହୋଇ ପାଭିଲିୟନ ଫେରିଥିଲେ। ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରୁ ବ୍ୟାଟ୍ ଖସି ୱିକେଟ୍ରେ ବାଜିଯାଇଥିଲା। ଅଧିନାୟକ ଗିଲ୍ (୨ ରନ୍)ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ ଏବଂ ଭୁବନେଶ୍ୱର କୁମାରଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ବଟଲର୍ କିଛି ଆକ୍ରାତ୍ମକ ସଟ୍ ଖେଳି ୧୧ ବଲ୍ରେ ୨୯ ରନ୍ କରିଥିଲେ ମଧ୍ୟ ଜୋଶ୍ ହେଜଲଉଡ୍ଙ୍କ ଶିକାର ହୋଇଥିଲେ।
ଗୁଜରାଟ ପକ୍ଷରୁ କେବଳ ରାହୁଲ ତେୱାତିଆ ଲଢ଼ୁଆ ବ୍ୟାଟିଂ କରି ୪୩ ବଲ୍ରେ ୬୮ ରନ୍ (୪ ଛକା, ୮ ଚୌକା) କରିଥିଲେ। ତାଙ୍କର ଏହି ପାଳି ଯୋଗୁଁ ଗୁଜରାଟ ଦଳ ଏକ ଲଜ୍ଜାଜନକ ସ୍ଥିତିରୁ ବଞ୍ଚି ବିଂଶ ଓଭରରେ ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା।
ଆରସିବିର ଘାତକ ବୋଲିଂ
ଆରସିବି ପକ୍ଷରୁ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାକବ ଡଫି ସର୍ବାଧିକ ୩ଟି ୱିକେଟ୍, ଭୁବନେଶ୍ୱର କୁମାର, କୃଣାଲ ପାଣ୍ଡ୍ୟା ଏବଂ ରସିଖ ସଲାମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜୋଶ୍ ହେଜଲଉଡ୍ଙ୍କୁ ଗୋଟିଏ ସଫଳତା ମିଳିଥିଲା।
ଗୁଜରାଟ ପାଇଁ ଆଉ ଗୋଟିଏ ସୁଯୋଗ
ପ୍ରଥମ କ୍ୱାଲିଫାୟରରେ ହାରିବା ସତ୍ତ୍ୱେ ଗୁଜରାଟ ଟାଇଟନ୍ସର ଫାଇନାଲ୍ ଆଶା ସମ୍ପୂର୍ଣ୍ଣ ମାଟିରେ ମିଶିନାହିଁ। ଦଳକୁ ଆଉ ଏକ ସୁଯୋଗ ମିଳିବ। ମେ ୨୯ ତାରିଖରେ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟର ମୁକାବିଲା ଏଲିମିନେଟର ମ୍ୟାଚ୍ (ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ)ର ବିଜେତା ସହ ହେବ। ସେହି ମ୍ୟାଚ୍ ଜିତିଲେ ଗୁଜରାଟ ପୁଣିଥରେ ଫାଇନାଲରେ ଆରସିବି ସହ ମୁହାଁମୁହିଁ ହେବାର ସୁଯୋଗ ପାଇପାରିବ।