ମୁମ୍ବାଇ: ଆଇପିଏଲ୍ର ଚଳିତ ସଂସ୍କରଣରେ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଶକ୍ତିଶାଳୀ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ। ଚଳିତ ସିଜନର ପ୍ଲେ-ଅଫ୍ ସମୀକରଣ ଦୃଷ୍ଟିରୁ ଏହି ମ୍ୟାଚ୍ ଉପରେ କେବଳ ଏହି ଦୁଇ ଦଳ ନୁହନ୍ତି, ବରଂ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ଭଳି ଅନ୍ୟ ଦଳଗୁଡ଼ିକର ନଜର ମଧ୍ୟ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ହିଁ ଖରାପ ପ୍ରଦର୍ଶନ କାରଣରୁ ପ୍ଲେ-ଅଫ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିସାରିଛି। ଅପରପକ୍ଷରେ ରାଜସ୍ଥାନ ରୟାଲ୍ସ ପାଇଁ ଏହା ଏକ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି। ଆଜିର ମ୍ୟାଚ୍ରେ ଯଦି ରାଜସ୍ଥାନ ବିଜୟୀ ହୁଏ, ତେବେ ସେମାନେ ସିଧାସଳଖ ପ୍ଲେ-ଅଫ୍ ଟିକେଟ୍ ହାସଲ କରିବେ। କିନ୍ତୁ ଯଦି ଦଳ ଏହି ମ୍ୟାଚ୍ରେ ପରାଜିତ ହୁଏ, ତେବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାରେ ଚତୁର୍ଥ ଦଳ ପାଲଟିଯିବେ। ଏହି ସମୀକରଣ ମଧ୍ୟରେ ମୁମ୍ବାଇକୁ ତାଙ୍କ ନିଜ ମାଟିରେ ହରାଇବା ରାଜସ୍ଥାନ ପାଇଁ ଆଦୌ ସହଜ ହେବନାହିଁ।
ଏହି ମ୍ୟାଚ୍ରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଏକ ବଡ଼ ବ୍ୟକ୍ତିଗତ ଟକ୍କର ମଧ୍ୟ ଦେଖିବାକୁ ମିଳିବ। ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲର ଯଶପ୍ରୀତ ବୁମରା ଏବଂ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଚ୍ୟାଲେଞ୍ଜ ଦେଖିବାକୁ କ୍ରିକେଟ୍ ପ୍ରେମୀ ଚାହିଁ ରହିଛନ୍ତି। ଗତ ମ୍ୟାଚ୍ରେ ଏହି ଦୁଇ ଖେଳାଳି ମୁହାଁମୁହିଁ ହୋଇଥିବା ବେଳେ ଯୁବ ବ୍ୟାଟର ବୈଭବ, ବୁମରାଙ୍କ ଭଳି ଘାତକ ବୋଲରଙ୍କ ପ୍ରଥମ ବଲ୍ରେ ହିଁ ଛକ୍କା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।
ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଖରାପ ରହିବା ସହ ବୁମରା ମଧ୍ୟ ନିଜର ପୂର୍ବ ଫର୍ମରେ ନାହାନ୍ତି। କିନ୍ତୁ ଅନ୍ୟପଟେ ରାଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜସୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଦଳକୁ ଦମଦାର ଏବଂ ବିସ୍ଫୋରକ ଆରମ୍ଭ ଦେଉଛନ୍ତି, ଯାହା ମୁମ୍ବାଇ ପାଇଁ ଚିନ୍ତାର ବିଷୟ ପାଲଟିଛି। ଯଦି ଆଇପିଏଲ୍ ଇତିହାସରେ ଏହି ଦୁଇ ଦଳର ପୁରୁଣା ରେକର୍ଡକୁ ଦେଖାଯାଏ, ତେବେ ଦୁହିଁଙ୍କ ମଧ୍ୟରେ ମୋଟ ୩୨ଟି ମ୍ୟାଚ୍ ଖେଳାଯାଇଛି। ସେଥିମଧ୍ୟରୁ ମୁମ୍ବାଇ ୧୬ଟି ମ୍ୟାଚ୍ ଜିତିଥିବା ବେଳେ ରାଜସ୍ଥାନ ୧୫ଟି ମ୍ୟାଚ୍ରେ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି।
ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ୍ ଉପରେ ପାଣିପାଗ ମଧ୍ୟ ବଡ଼ ପ୍ରଭାବ ପକାଇପାରେ। ମୁମ୍ବାଇର ଆଜିର ପାଣିପାଗ ରିପୋର୍ଟ ଅନୁଯାୟୀ, ଖେଳ ସମୟରେ ବର୍ଷା ସାଜିପାରେ ବାଧକ। ମ୍ୟାଚ୍ଟି ଦ୍ୱିପ୍ରହର ୩:୩୦ ମିନିଟ୍ରେ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ବର୍ଷା ହେବାର ଆଶଙ୍କା ୩୫ ପ୍ରତିଶତ ରହିଛି। ମ୍ୟାଚ୍ ସମୟରେ ସେଠାକାର ତାପମାତ୍ରା ପ୍ରାୟ ୩୨ ରୁ ୩୩ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି।
ଆଜିର ଏହି ମ୍ୟାଚ୍ ପିଚ୍ ନମ୍ବର-୬ରେ ଖେଳାଯିବ। ଚଳିତ ଆଇପିଏଲ୍ ସଂସ୍କରଣରେ ଏହି ନିର୍ଦ୍ଦିଷ୍ଟ ପିଚ୍ରେ ଏହା ହେଉଛି ତୃତୀୟ ମ୍ୟାଚ୍। ଦ୍ୱିପ୍ରହର ସମୟରେ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ ଏଠାରେ ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ଖରାପ ହେବ ନାହିଁ, କିନ୍ତୁ ଆକାଶରେ ବାଦଲ ଏବଂ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଟସ୍ ଜିତିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଉଚିତ୍ ମନେକରିପାରନ୍ତି। ସାଧାରଣତଃ ୱାଙ୍ଖେଡ଼େର ଏହି ପିଚ୍ ବ୍ୟାଟରମାନଙ୍କ ପାଇଁ ଅନୁକୂଳ ରହିଥାଏ ଏବଂ ଏଠାରେ ବଡ଼ ବଡ଼ ସ୍କୋର ଦେଖିବାକୁ ମିଳେ।