ଚେନ୍ନାଇ: ଆଇପିଏଲ୍ ୨୦୨୬ରୁ ଚେନ୍ନାଇ ସୁପର୍ କିଙ୍ଗସ (CSK) ବିଦାୟ ନେବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ମହେନ୍ଦ୍ର ସିଂ ଧୋନିଙ୍କୁ ଆସନ୍ତା ସିଜନରେ ପଡ଼ିଆରେ ଦେଖିବାକୁ ମିଳିବ କି ନାହିଁ? ଗତ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ୮୯ ରନ୍ର ବଡ଼ ପରାଜୟ ସହ ରୁତୁରାଜ ଗାଏକୱାଡ଼ଙ୍କ ନେତୃତ୍ୱାଧୀନ CSK ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ଚଳିତ ସିଜନରେ ଆହତ ସମସ୍ୟା ଯୋଗୁଁ ଧୋନି ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ଖେଳିପାରି ନଥିଲେ। ଏବେ ଧୋନି IPL 2027ରେ ଖେଳିବେ କି ନାହିଁ, ସେ ନେଇ ଅଧିନାୟକ ଗାଏକୱାଡ଼ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କଣ କହିଲେ ରୁତୁରାଜ ?
ଗୁଜରାଟ ବିପକ୍ଷରେ ପରାଜୟ ପରେ ଯେତେବେଳେ ରୁତୁରାଜ ଗାଏକୱାଡ଼ଙ୍କୁ ପଚରାଗଲା ଯେ, ଆସନ୍ତା ବର୍ଷ ମାହି ପୁଣି ଥରେ ମୈଦାନକୁ ଓହ୍ଲାଇବେ କି? ଏହାର ଉତ୍ତରରେ ରୁତୁରାଜ କହିଛନ୍ତି, ଏହା ଆସନ୍ତା ବର୍ଷ ହିଁ ଜଣାପଡ଼ିବ। ସେତେବେଳେ ମୋତେ ମଧ୍ୟ ଏହି ବିଷୟରେ ସୂଚନା ମିଳିବ। ଧୋନିଙ୍କ ବିନା ପଡ଼ିଆକୁ ଓହ୍ଲାଇବା ଆମ ପାଇଁ ବେଶ୍ କଷ୍ଟକର ଥିଲା।
ଗାଏକୱାଡ଼ଙ୍କ ଏହି ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଧୋନି ଆଗାମୀ ସିଜନ ଖେଳିବେ କି ନାହିଁ, ତାହା କେବଳ ସେ ନିଜେ ହିଁ ସ୍ଥିର କରିବେ। ୨୦୨୭ ଆଇପିଏଲ୍ ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି କି ନାହିଁ, ସେ ନେଇ ନିଷ୍ପତ୍ତି ମାହି ନିଜେ ନେବେ।
ଆଇପିଏଲ୍ ୨୦୨୬ରୁ କାହିଁକି ଦୂରେଇ ରହିଲେ ଧୋନି?
ସୂଚନାଯୋଗ୍ୟ ଯେ, ପିଣ୍ଡୁଲା ଜନିତ ଆହତ ସମସ୍ୟା ଯୋଗୁଁ ଧୋନି ଚଳିତ ସିଜନରୁ ବାଦ୍ ପଡ଼ିଥିଲେ। ମାର୍ଚ୍ଚ ୨୮ରେ ସିଜନର ପ୍ରଥମ ଦିନରେ ଚେନ୍ନାଇ ଟିମ୍ ମ୍ୟାନେଜମେଣ୍ଟ ତରଫରୁ ଅଫିସିଆଲ୍ ଅପଡେଟ୍ ଦିଆଯାଇଥିଲା ଯେ, ଆହତ କାରଣରୁ ମାହି ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ବାହାରେ ରହିପାରନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୂରା ସିଜନରୁ ବାଦ୍ ପଡ଼ିଥିଲେ।
ଶେଷ ମ୍ୟାଚ୍ ପୂର୍ବରୁ ଆଙ୍ଗୁଠିରେ ଲାଗିଲା ଆଘାତ
ଗୁଜରାଟ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ପୂର୍ବରୁ ଧୋନି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରୁ ନିଜ ଘର ରାଞ୍ଚିକୁ ଫେରି ଯାଇଥିଲେ। ପ୍ରାକ୍ଟିସ୍ ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।
Also Read: SRH vs RCB: ଟପ୍-୨ରେ ପହଞ୍ଚିବା ପାଇଁ ହାଇଦ୍ରାବାଦକୁ ଦରକାର କେତେ ବଡ଼ ବିଜୟ? ଜାଣନ୍ତୁ ଆଜିର ମ୍ୟାଚ୍ର ପୂରା ଗଣିତ