ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ 'ଇଣ୍ଡିଆନ୍ ପ୍ରିମିୟର ଲିଗ୍'ରେ ପାକିସ୍ତାନୀ ଖେଳାଳିଙ୍କ ଖେଳିବା ଉପରେ ଦୀର୍ଘ ଦିନରୁ ପ୍ରତିବନ୍ଧକ ରହିଛି। ହେଲେ ଏବେ ପାକିସ୍ତାନର ପୂର୍ବତନ ତାରକା ଦ୍ରୁତ ବୋଲର ମହମ୍ମଦ ଆମିରଙ୍କ ପାଇଁ ଆଇପିଏଲ୍ର ଦ୍ୱାର ଖୋଲିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଏହି ବାମହାତୀ ବୋଲରଙ୍କୁ ଏବେ ବ୍ରିଟେନର ନାଗରିକତା ମିଳିସାରିଛି। ଫଳରେ ସେ ଆଗାମୀ ଦିନରେ ଜଣେ ବ୍ରିଟିଶ ନାଗରିକ ବା ବିଦେଶୀ ଖେଳାଳି ଭାବରେ ଆଇପିଏଲ୍ ନିଲାମରେ ଭାଗ ନେଇପାରିବେ।
୩୪ ବର୍ଷୀୟ ମହମ୍ମଦ ଆମିର ପୂର୍ବରୁ ହିଁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ସେ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ରେ ଜଣେ ଲୋକପ୍ରିୟ ଖେଳାଳି। ଆମିର ଏପର୍ଯ୍ୟନ୍ତ ବିଶ୍ୱର ପ୍ରାୟ ୩୦ରୁ ଅଧିକ ଦଳ ପାଇଁ ଘରୋଇ ଓ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିଛନ୍ତି। ସେ ପାକିସ୍ତାନ ସୁପର ଲିଗ୍ (PSL), ବାଂଲାଦେଶ ପ୍ରିମିୟର ଲିଗ୍ (BPL), କାରିବିଆନ ପ୍ରିମିୟର ଲିଗ୍ (CPL) ଏବଂ ଲଙ୍କା ପ୍ରିମିୟର ଲିଗ୍ (LPL) ଭଳି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ନିଜ ଜଲୱା ଦେଖାଇ ସାରିଛନ୍ତି। ଏବେ ବ୍ରିଟିଶ ପାସପୋର୍ଟ ମିଳିବା ପରେ ସେ ଆଇପିଏଲ୍ରେ ବି ଏଣ୍ଟ୍ରି କରିପାରନ୍ତି।
ଆଇପିଏଲ୍ରେ କାହିଁକି ବ୍ୟାନ୍ ଅଛନ୍ତି ପାକିସ୍ତାନୀ ଖେଳାଳି?
ସୂଚନାଯୋଗ୍ୟ ଯେ, ୨୦୦୮ ମସିହାରେ ଆଇପିଏଲ୍ର ପ୍ରଥମ ସିଜନରେ ଶାହିଦ ଆଫ୍ରିଦି, ସୋହେଲ ତନଭୀର ଏବଂ ଶୋଏବ ଅଖତରଙ୍କ ଭଳି ଅନେକ ପାକିସ୍ତାନୀ ତାରକା ଖେଳାଳି ଭାଗ ନେଇଥିଲେ। ମାତ୍ର ୨୦୦୮ ନଭେମ୍ବରରେ ମୁମ୍ବାଇରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଓ ବିସିସିଆଇ (BCCI) ପକ୍ଷରୁ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ଖେଳାଳି ଆଇପିଏଲ୍ ଖେଳିବାକୁ ସୁଯୋଗ ପାଇନାହାନ୍ତି।
ନିଜେ ସ୍ପଷ୍ଟ କଲେ ମହମ୍ମଦ ଆମିର
ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଆମିର ନିଜେ ଏହି ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ପତ୍ନୀ ବ୍ରିଟିଶ ନାଗରିକତା ପାଇବା ପ୍ରକ୍ରିୟାରେ ଥିଲେ, ଯାହା ଏବେ ସଫଳତାର ସହ ଶେଷ ହୋଇଛି। ପୂର୍ବରୁ ଏକ ସାକ୍ଷାତକାରରେ ଆମିର କହିଥିଲେ,ଆଗାମୀ ବର୍ଷ ସୁଦ୍ଧା ମୋ ପାଖରେ ଆଇପିଏଲ୍ ଖେଳିବାର ସୁଯୋଗ ରହିବ। ଯଦି ମତେ ଆଇପିଏଲ୍ରେ ଖେଳିବାକୁ ସୁଯୋଗ ମିଳେ, ତେବେ ମୁଁ ନିଶ୍ଚୟ ଖେଳିବି।
ଏମିତି ରହିଛି ଆମିରଙ୍କ କ୍ରିକେଟ୍ କ୍ୟାରିୟର
ପାକିସ୍ତାନ ପାଇଁ ମହମ୍ମଦ ଆମିର ୩୬ଟି ଟେଷ୍ଟ, ୬୧ଟି ଦିନିକିଆ ଏବଂ ୬୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୧୯, ୮୧ ଏବଂ ୭୧ଟି ୱିକେଟ୍ ହାସଲ କରିଛନ୍ତି। ସେହିପରି ସମଗ୍ର ଟି-୨୦ କ୍ୟାରିୟରକୁ ଦେଖିଲେ, ସେ ୩୬୪ଟି ମ୍ୟାଚ୍ ଖେଳି ୪୨୫ଟି ୱିକେଟ୍ ନେଇଛନ୍ତି। ଚଳିତ ବର୍ଷ ମଧ୍ୟ ସେ ପିଏସଏଲ୍ (PSL) ରେ ରାୱଲପିଣ୍ଡି ଦଳ ପାଇଁ ୧୦ଟି ମ୍ୟାଚ୍ ଖେଳି ୧୨ଟି ୱିକେଟ୍ ନେଇଥିଲେ।