କୋଲକାତା: ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ (KKR)ର ଦମଦାର ପ୍ରଦର୍ଶନ ଜାରି ରହିଛି। ଗତକାଲି ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ୪ ୱିକେଟରେ ପରାସ୍ତ କରିଛି କେକେଆର୍। ଏହି ବିଜୟ ସହ କୋଲକାତା ଚଳିତ ସିଜନର ବିଗତ ୭ଟି ମ୍ୟାଚ୍ରୁ ୬ଷ୍ଠ ବିଜୟ ହାସଲ କରିବା ସହ ନିଜର ପ୍ଲେ-ଅଫ୍ ଆଶାକୁ ସଞ୍ଜୀବିତ ରଖିଛି। ଦଳର ଏହି ଗୁରୁତ୍ୱପୂର୍ଣ୍ଣ ବିଜୟରେ ମନୀଷ ପାଣ୍ଡେ ଓ ରୋଭମ୍ୟାନ୍ ପାୱେଲଙ୍କ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ଏବଂ ସୁନୀଲ ନରୀନଙ୍କ ଘାତକ ବୋଲିଂ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ବିଫଳ ହେଲା ମୁମ୍ବାଇ ବ୍ୟାଟିଂ ଲାଇନଅପ୍
ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା। ତେବେ ବର୍ଷା ଯୋଗୁଁ ମ୍ୟାଚ୍ରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା। ରୋହିତ ଶର୍ମା, ରାୟନ ରିକଲଟନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଷ୍ଟାର ବ୍ୟାଟର ଆଉଟ୍ ହୋଇ ନିରାଶ କରିଥିଲେ। ଶେଷରେ କର୍ବିନ ବସ (୩୨ ରନ୍), ହାର୍ଦ୍ଦିକ ପାଣ୍ଡ୍ୟା (୨୬ ରନ୍) ଏବଂ ତିଲକ ବର୍ମା (୨୦ ରନ୍)ଙ୍କ ଛୋଟ ଛୋଟ ପାଳି ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ମାତ୍ର ୧୪୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।
ସୁନୀଲ ନରୀନ ରଚିଲେ ନୂଆ ଇତିହାସ
କୋଲକାତାର ଷ୍ଟାର ସ୍ପିନର ସୁନୀଲ ନରୀନ ପୁଣି ଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ସେ ନିଜର ୪ ଓଭର ସ୍ପେଲ୍ରେ ମାତ୍ର ୧୩ ରନ୍ ବ୍ୟୟ କରି ମୁମ୍ବାଇ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ଏହି କଞ୍ଜୁସୀ ବୋଲିଂ ସହ ନରୀନ ଆଇପିଏଲ୍ ଇତିହାସରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ଆଇପିଏଲ୍ରେ ଏହା ୮୦ତମ ସେହିଭଳି ମ୍ୟାଚ୍ ଥିଲା, ଯେଉଁଠି ନରୀନ ୪ ଓଭର ବୋଲିଂ କରି ୬ କିମ୍ବା ତା’ଠାରୁ କମ୍ ଇକୋନୋମି ରେଟ୍ରେ ରନ୍ ଦେଇଛନ୍ତି।
ପାଣ୍ଡେ-ପାୱେଲଙ୍କ ଦମଦାର ପାର୍ଟନରସିପ୍
୧୪୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କୋଲକାତାର ଆରମ୍ଭ ଶୋଚନୀୟ ଥିଲା। ଗତ ମ୍ୟାଚ୍ର ହିରୋ ଫିନ୍ ଆଲେନ୍ ମାତ୍ର ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଅଜିଙ୍କ୍ୟ ରହାଣେ ମଧ୍ୟ ୨୧ ରନ୍ କରି ଆଉଟ୍ ହୋଇଥିଲେ। ମୁମ୍ବାଇର ୨୫ କୋଟିଆ ଖେଳାଳି କ୍ୟାମେରନ ଗ୍ରୀନଙ୍କ ୱିକେଟ୍ ନେଇ କେକେଆର୍କୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଦଳ ୫୪ ରନ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।
ଏହି ସମୟରେ ମନୀଷ ପାଣ୍ଡେ ଓ ରୋଭମ୍ୟାନ୍ ପାୱେଲ କ୍ରିଜ୍ରେ ଜମି ରହି ଦଳକୁ ସମ୍ଭାଳିଥିଲେ। ଦୁହେଁ ମିଶି ୬୪ ରନ୍ର ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଟନରସିପ୍ ଗଢ଼ିଥିଲେ। ମନୀଷ ପାଣ୍ଡେ ୪୫ ରନ୍ ଏବଂ ପାୱେଲ ୪୦ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଶେଷରେ ୧୯ତମ ଓଭରରେ କୋଲକାତା ଏହି ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା।
ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ, ପଞ୍ଜାବର ବଢ଼ିଲା ଚିନ୍ତା
ଏହି ଦମଦାର ବିଜୟ ସହ କୋଲକାତା ନାଇଟ୍ ରାଇଡର୍ସ ୧୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି। ଏହା ସହିତ କେକେଆର୍ର ନେଟ୍ ରନ୍ ରେଟ୍ (NRR) ମଧ୍ୟ ପଜିଟିଭ୍ ହୋଇଯାଇଛି। କୋଲକାତାର ଏହି ଫର୍ମ ଏବଂ ପଜିଟିଭ୍ ରନ୍ ରେଟ୍ ଏବେ ପଞ୍ଜାବ କିଙ୍ଗସ ପାଇଁ ପ୍ଲେ-ଅଫ୍ ଦୌଡ଼ରେ ବଡ଼ ଅଡ଼ୁଆ ସୃଷ୍ଟି କରିବାକୁ ଯାଉଛି।