ଜୟପୁର: ଆଇପିଏଲ ୨୦୨୬ର ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG)କୁ ୭ ୱିକେଟ୍ରେ ଧୂଳି ଚଟାଇଛି ରାଜସ୍ଥାନ ରୟାଲ୍ସ (RR)। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ୯୩ ରନର ଇନିଂସ ବଳରେ ରାଜସ୍ଥାନ ୨୨୧ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୧୯.୨ ଓଭରରେ ହାସଲ କରି ନେଇଛି। ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହ ରାଜସ୍ଥାନ ରୟାଲ୍ସ ନିଜର ପ୍ଲେ-ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି।
ଏହି ମ୍ୟାଚ୍ ଜିତିବା ପରେ ରାଜସ୍ଥାନ ରୟାଲ୍ସ ୧୩ଟି ମ୍ୟାଚ୍ରୁ ୧୪ ପଏଣ୍ଟ ହାସଲ କରି ସାରିଛି। ଦଳର ଆଉ ଗୋଟିଏ ମ୍ୟାଚ୍ ବାକି ଥିବା ବେଳେ ଶେଷ ମ୍ୟାଚ୍ ଜିତିଲେ ରାଜସ୍ଥାନ ୧୬ ପଏଣ୍ଟରେ ପହଞ୍ଚିଯିବ। ବର୍ତ୍ତମାନ ପ୍ଲେ-ଅଫ୍ର ଶେଷ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ଵନ୍ଦ୍ଵିତା ଚାଲିଛି।
୨୨୧ ରନର ପିଛା କରୁଥିବା ରାଜସ୍ଥାନ ଆରମ୍ଭରୁ ହିଁ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଓପନର ଯଶସ୍ଵୀ ଜୈସୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ୱିକେଟ୍ ପାଇଁ ମାତ୍ର ୩୯ ବଲ୍ରେ ୭୫ ରନର ଭାଗିଦାରୀ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଏହାପରେ ବୈଭବ ଦ୍ୱିତୀୟ ୱିକେଟ୍ ପାଇଁ ଧ୍ରୁବ ଜୁରେଲଙ୍କ ସହ ମିଶି ୪୫ ବଲ୍ରେ ୧୦୧ ରନର ଭାଗିଦାରୀ କରି ଲକ୍ଷ୍ନୌ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ବୈଭବ ମାତ୍ର ୩୮ ବଲ୍ରୁ ୭ଟି ଚୌକା ଏବଂ ୧୦ଟି ଛକା ସହ ୯୩ ରନର ବିଧ୍ୱଂସୀ ଇନିଂସ ଖେଳି ଆଉଟ୍ ହୋଇଥିଲେ।
ଜୁରେଲ ଓ ଫରେରା ଜିତାଇଲେ ମ୍ୟାଚ୍
ବୈଭବ ଆଉଟ୍ ହେବା ପରେ ଲହୁଆନ-ଡ୍ରେ ପ୍ରେଟୋରିୟସ (୦୭) ଶୀଘ୍ର ବିଦାୟ ନେଇଥିଲେ। ହେଲେ ଧ୍ରୁବ ଜୁରେଲ ଅପରାଜିତ ୫୩* ରନ୍ (୫ଟି ଚୌକା, ୨ଟି ଛକା)ର ଦାୟିତ୍ୱବାନ ଇନିଂସ ଖେଳିଥିଲେ। ଶେଷରେ ଡେନୋଭାନ ଫରେରା ୧୬* ରନ୍ କରି ଜୁରେଲଙ୍କ ସହ ମିଶି ଦଳକୁ ୧୯.୧ ଓଭରରେ ୩ ୱିକେଟ୍ ହରାଇ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ ୪୩ ରନ୍ କରି ଆଉଟ୍ ହୋଇଥିଲେ।
ଫିକା ପଡ଼ିଲା ମିଚେଲ ମାର୍ଶଙ୍କ ୯୬ ରନ୍
ଏହି ମ୍ୟାଚ୍ରେ ରାଜସ୍ଥାନର କାମଚଳା ଅଧିନାୟକ ଯଶସ୍ୱୀ ଜୈସୱାଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ପାଇଁ ଓପନର ମିଚେଲ ମାର୍ଶ ବିସ୍ଫୋରକ ବ୍ୟାଟିଂ କରି ୫୭ ବଲ୍ରେ ୧୧ଟି ଚୌକା ଓ ୫ଟି ଛକା ସହ ୯୬ ରନର ଚମତ୍କାର ଇନିଂସ ଖେଳିଥିଲେ। ଫଳରେ ଲକ୍ଷ୍ନୌ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୦ ରନର ପାହାଡ଼ ଛିଡ଼ା କରିଥିଲା। ହେଲେ ବୈଭବଙ୍କ ତୋଫାନୀ ଇନିଂସ ଆଗରେ ମାର୍ଶଙ୍କ ଏହି ବଡ଼ ସ୍କୋର ଫିକା ପଡ଼ିଯାଇଥିଲା।