ୱାଶିଂଟନ୍/ଦୁବାଇ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ। ବିଶ୍ଵ ରାଜନୀତିକୁ ସରଗରମ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଏକ ବଡ଼ ଚେତାବନୀ ଦେଇଛନ୍ତି। ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ, "ଇରାନ ବିରୋଧରେ ଆଗକୁ ଯେ ଆଉ କୌଣସି ଏୟାର ଷ୍ଟ୍ରାଇକ୍ ବା ଆକ୍ରମଣ ହେବନାହିଁ, ସେକଥା ମୁଁ ଏବେ କହିପାରିବି ନାହିଁ। ଏହି ତିକ୍ତତା ମଧ୍ୟରେ ୟୁଏଇ ଏକ ବଡ଼ ଦାବି କରି ଆଲୋଡ଼ନ ସୃଷ୍ଟି କରିଛି। ବିଗତ ୪୮ ଘଣ୍ଟା ମଧ୍ୟରେ ୟୁଏଇ ସୀମାରେ ଅନୁପ୍ରବେଶ କରୁଥିବା ୬ଟି ଘାତକ ଡ୍ରୋନକୁ ସେନା ସଫଳତାର ସହ ମାରି ଖସାଇଥିବା ସୂଚନା ମିଳିଛି।
କେବଳ ଗୋଟିଏ ଘଣ୍ଟାର ଦୂରତାରେ ଥିଲା ଯୁଦ୍ଧ!
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ରିପୋର୍ଟର ଟ୍ରମ୍ପଙ୍କୁ ପଚାରିଥିଲେ, "ଗତକାଲି ଆମେରିକା ଇରାନ ଉପରେ ଆକ୍ରମଣ କରିବାର କେତେ ନିକଟତର ଥିଲା?" ଏହାର ଜବାବରେ ଟ୍ରମ୍ପ ଏକ ବଡ଼ ଖୁଲାସା କରି କହିଥିଲେ, ଆମେ ଆକ୍ରମଣ କରିବା ସୀମାରୁ ମାତ୍ର ଗୋଟିଏ ଘଣ୍ଟା ଦୂରରେ ଥିଲୁ। କିନ୍ତୁ ଶେଷ ମୁହୂର୍ତ୍ତରେ ମୋ ପାଖକୁ ଏକ ଫୋନ କଲ୍ ଆସିଲା ଏବଂ କୁହାଗଲା ଯେ- ସାର୍, ଆମେ ଏବେ ଏକ ବଡ଼ ଡିଲ୍ର ସଫଳତା ସହ ଖୁବ୍ ନିକଟତର ଅଛୁ, ତେଣୁ କିଛି ସମୟ ଅପେକ୍ଷା କରାଯାଉ।
ପରମାଣୁ କାର୍ଯ୍ୟକ୍ରମକୁ ନେଇ କଡ଼ା ଆଭିମୁଖ୍ୟ
ଇରାନର ଆଣବିକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି କହିଛନ୍ତି, ପରମାଣୁ ବିବାଦର ସମାଧାନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆମର ପ୍ରାଥମିକତା। ତେବେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହେବା ନେଇ ସେ ସଂକେତ ଦେଇଛନ୍ତି। ଚଳିତ ସପ୍ତାହ ଶେଷ ଆଡ଼କୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଏହି ଆଲୋଚନା ପ୍ରକ୍ରିୟା ଆଗକୁ ବଢ଼ିପାରେ। ଏହା ସତ୍ତ୍ଵେ ଟ୍ରମ୍ପ ଧମକପୂର୍ଣ୍ଣ ଶୈଳୀରେ କହିଛନ୍ତି, ଇରାନକୁ ସାବାଡ଼ କରିବା ପାଇଁ ଆମକୁ ବୋଧହୁଏ ଆଉ ଏକ ବଡ଼ ଧକ୍କା ଦେବାକୁ ପଡ଼ିପାରେ। ଏହା ଖୁବଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ।
ଆମେରିକା ଆଗରେ ଇରାନର ଶାନ୍ତି ପ୍ରସ୍ତାବ
ସୂଚନାଯୋଗ୍ୟ ଯେ, ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ପାଇଁ ଇରାନ ନିକଟରେ ଆମେରିକାକୁ ଏକ ନୂତନ ଶାନ୍ତି ଚୁକ୍ତିର ପ୍ରସ୍ତାବ ପଠାଇଥିଲା। ଏହି ପ୍ରସ୍ତାବରେ ଇରାନ ଦର୍ଶାଇଥିଲା ଯେ, ଯୁଦ୍ଧ ଯୋଗୁଁ ହୋଇଥିବା ସମସ୍ତ କ୍ଷତିପୂରଣ ଆମେରିକା ପ୍ରଦାନ କରୁ ଏବଂ ମଧ୍ୟପ୍ରାଚ୍ୟରୁ ନିଜ ସେନା ପ୍ରତ୍ୟାହାର କରୁ। ଲେବାନନ୍ ସମେତ ସମସ୍ତ ସାମ୍ମୁଖ୍ୟରେ ଯୁଦ୍ଧବିରତି ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ଦ୍ୱାରା ହୋଇଥିବା ଧ୍ୱଂସଲୀଳାର ଭରଣପୋଷଣ ପାଇଁ ତେହେରାନ ଦାବି କରିଛି।
ଡ୍ରୋନ ଉଡ଼ାଇବା ସାଙ୍ଗକୁ UAE ର ଜବାବ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ତିକ୍ତତା ଭିତରେ ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ବଡ଼ ବୟାନ ଆସିଛି। 'ଟାଇମ୍ସ ଅଫ୍ ଇସ୍ରାଏଲ'ର ରିପୋର୍ଟ ଅନୁଯାୟୀ, ଗତ ରବିବାର ଦିନ ୩ଟି ଆତ୍ମଘାତୀ ଡ୍ରୋନ ୟୁଏଇ ଉପରେ ଆକ୍ରମଣ ଲକ୍ଷ୍ୟରେ ଅନୁପ୍ରବେଶ କରୁଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ବିଗତ ଦୁଇ ଦିନରେ ଏଭଳି ସମୁଦାୟ ୬ଟି ସନ୍ଦିଗ୍ଧ ଡ୍ରୋନକୁ ଖସାଇ ଦିଆଯାଇଥିବା ସେନା ସ୍ପଷ୍ଟ କରିଛି।